EducationFeaturedLatestNewsPolitics

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି): ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜ୍ୟର ରାଜନୈତିକ ସରଗରମ ହୋଇଛି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଏହି ଗମ୍ଭୀର ଅବହେଳା ପାଇଁ ସେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ଦଳ ଗତ ଦୁଇରୁ ତିନି ସପ୍ତାହ ଧରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛି। ଏପରି ଗୁରୁତର ବିଷୟରେ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ ବୋଲି ସେ ଜୋର ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଜଡ଼ିତ ଏହି ପ୍ରସଙ୍ଗରେ ସରକାରଙ୍କ ଗମ୍ଭୀରତା ନେଇ ପ୍ରଶ୍ନ ଉଠାଇ ବିରୋଧୀ ଦଳ ମୋର୍ଚ୍ଚା ଖୋଲିଛି।

ଅପରପକ୍ଷରେ, ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ ଏହି ଦାବିକୁ ଖାରଜ କରି ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ବାଗ୍ କହିଛନ୍ତି ଯେ, ବିରୋଧୀମାନେ ନୀତି ନୈତିକତାର ପାଠ ନ ପଢାନ୍ତୁ। ଗତ ସରକାର ସମୟରେ ବିଭିନ୍ନ ପରୀକ୍ଷା ତ୍ରୁଟି ଓ ବିଭ୍ରାଟ ଘଟିଥିଲା, ସେତେବେଳେ କେତେଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ବାଗ୍ ଆହୁରି କହିଛନ୍ତି ଯେ, ଇସ୍ତଫା ଦେଇଦେଲେ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ରାଜ୍ୟ ସରକାର ଏବଂ ନେତୃତ୍ୱ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ବିଷୟରେ ସରକାର ଗମ୍ଭୀର ଭାବରେ ଚିନ୍ତା କରୁଛନ୍ତି ବୋଲି ଶ୍ରୀ ବାଗ୍ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତୀବ୍ର ବାକ୍ୟଯୁଦ୍ଧ ଜାରି ରହିଛି।