FeaturedLatestNews

୨,୦୬୭ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ । ୧୮ତମ ନିଯୁକ୍ତି ମେଳାରେ ୨ ହଜାର ୬୭ ଜଣଙ୍କୁ ନିଯୁକ୍ତିପତ୍ର ମିଳିଲା । ଏଥିରେ ୧ ହଜାର ୯୧୩ ଜଣ ସେବକ-ସେବିକା ଏବଂ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀ ରହିଛନ୍ତି ।

ଭୁବନେଶ୍ୱର ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମରେ ଆୟୋଜିତ ଏହି ମେଳାରେ ଯୋଗଦେଇ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବନିଯୁକ୍ତ ଶିକ୍ଷକମାନଙ୍କୁ ପିଲାଙ୍କ ଆଦର୍ଶ ବନ୍ଧୁ ଓ ମାର୍ଗଦର୍ଶକ ହେବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଖାଲିଥିବା ସରକାରୀ ପଦବୀଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରାଯାଉଥିବା ସେ କହିଛନ୍ତି ।

୨୦୨୪ ଜୁନ୍ରୁ ଆରମ୍ଭ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ଏଯାଏଁ ମୋଟ୍ ୪୮ ହଜାର ୬୪୨ ଜଣଙ୍କୁ ନିଯୁକ୍ତି ମିଳିଛି । ସେହିପରି ଆଜି ସୁଦ୍ଧା ୨୮ ହଜାର ୬୯୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜନଜାତି ଅଞ୍ଚଳରେ ଶିକ୍ଷାର ମାନ ବୃଦ୍ଧି ଏବଂ ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ସାନ୍ତାଳୀ ସମେତ ୧୦ଟି ଜନଜାତି ଭାଷାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ କରାଯାଉଛି ।

ଡ୍ରପ୍ଆଉଟ୍ ରୋକିବା ପାଇଁ ଗ୍ଧଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ଏଥିସହ ରାଜ୍ୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୬୯କୁ ବୃଦ୍ଧି ପାଇଥିବା ବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ଯୋଜନା ମଧ୍ୟ ଆରମ୍ଭ ହୋଇଛି ।

ନବନିଯୁକ୍ତ ଶିକ୍ଷକମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଦ୍ୟାଳୟରେ ପିଲାମାନଙ୍କ ମନରେ ସୁରକ୍ଷା ଓ ଆତ୍ମବିଶ୍ୱାସର ଭାବ ଜାଗ୍ରତ କରନ୍ତୁ । କେବଳ ଶିକ୍ଷକ ନୁହେଁ, ପିଲାଙ୍କ ପାଇଁ ଜଣେ ଆଦର୍ଶ ବନ୍ଧୁ ଓ ମାର୍ଗଦର୍ଶକ ହୁଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ, ନିଷ୍ଠା ଓ ସକାରାତ୍ମକ ମନୋଭାବ ରଖିବା ସହ ମଧ୍ୟାହ୍ନ ଭୋଜନ ଯୋଜନାରେ ଅନିୟମିତତା ନକରିବାକୁ ସେ ସତର୍କ କରାଇଛନ୍ତି । ମଦ୍ୟପାନ ଓ ଶିକ୍ଷାର୍ଥୀଙ୍କ ପ୍ରତି ଅମାନବିକ ଦଣ୍ଡବିଧାନ ଭଳି ଆଚରଣରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଏଥିସହ ଦକ୍ଷିଣ ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଯୁକ୍ତି ପାଇଥିବା ସେବକ-ସେବିକାମାନେ ବନ୍ୟା ଘେରରେ ଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ଅନ୍ୟ ଅତିଥି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *