ଭୁବନେଶ୍ୱରରେ ହିଟ୍-ଏଣ୍ଡ-ରନ୍ ଘଟଣା: ବସ୍ ଧକ୍କାରେ ୨ ମୃତ, ୨ ଗୁରୁତର
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରର ନୟାପଲ୍ଲୀ-ସିଆରପି ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ହିଟ୍-ଏଣ୍ଡ-ରନ୍ ଘଟଣାରେ ଏକ ଦ୍ରୁତଗାମୀ ବସ୍ ଏକ କାରକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ ବସ୍ ଫେରାର ଅଛି। ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତକମାନେ ହେଲେ ବରଗଡ଼ ଜିଲ୍ଲାର ଗୀତାଞ୍ଜଳି ରଣା (୨୪) ଓ ନୟାଗଡ଼ର ଝୁନା ମଣ୍ଡଳ (୪୧)। ସେହିପରି ଗୁରୁତର ଆହତ ହୋଇଛନ୍ତି ପ୍ରଦୀପ ଜେନା (୪୫) ଓ ବରଗଡ଼ର ସୁନିତା ମେହେର (୨୬)।
ସୂଚନା ଅନୁଯାୟୀ, ଦୁର୍ଘଟଣାଟି ସକାଳ ପ୍ରାୟ ସାଢ଼େ ୫ରୁ ୬ଟା ମଧ୍ୟରେ ଘଟିଛି। ବସ୍ଟି ପ୍ରଥମେ ନୟାପଲ୍ଲୀ ନିକଟରେ ପାର୍କିଂ ହୋଇଥିବା ଏକ କାରକୁ ଧକ୍କା ଦେଇଥିଲା। ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ଓ ଦୁର୍ଘଟଣାସ୍ଥଳରୁ କିଛି ମିଟର ଦୂରରେ ଛିଟିକି ପଡ଼ିଥିଲା। କାର୍କୁ ଧକ୍କା ଦେଇ ପରେ ରାସ୍ତାକଡ଼ରେ ଯାଉଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା।
ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଦୁର୍ଘଟଣା ପରେ ବସ୍ ନେଇ ଡ୍ରାଇଭର ଫେରାର ହୋଇଯାଇଛି। ଅନ୍ୟପଟେ ସିସିଟିଭି ଫୁଟେଜ୍ ଆଧାରରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଫେରାର ବସ୍ ସହ ଡ୍ରାଇଭରକୁ ଧରିବା ପାଇଁ ଖୋଜାଖୋଜି ଚାଲିଛି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହାର କାରଣ ଖୋଜୁଛି ପୋଲିସ।
ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଯେ, ରାସ୍ତାରେ ବେଆଇନ ଭାବେ ଗାଡ଼ି ପାର୍କିଂ ହେଉଥିବା ସହ ଅନେକ ଗାଡ଼ି ଅତ୍ୟଧିକ ବେଗରେ ଚଳାଚଳ କରୁଛି। ରାସ୍ତା ସଂକୀର୍ଣ୍ଣ ଥିବାରୁ ଯାତାୟାତରେ ମଧ୍ୟ ସମସ୍ୟା ହେଉଛି। ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି।
