ବାତ୍ୟା ‘ମୁରାସୁ’: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଭୟ, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ‘ମୁରାସୁ’। ଘଣ୍ଟା ପ୍ରତି ୨୦ କି.ମି ବେଗରେ ଆଗକୁ ବଢ଼ୁଛି ବାତ୍ୟା। ଦକ୍ଷିଣ ଓଡ଼ିଶାରେ ବର୍ଷା ଭୟ। ୩ ଓ ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଗଞ୍ଜାମ, ଗଜପତି ସମେତ ୩ ଜିଲ୍ଲାକୁ ଅଧିକ ବିପଦ। ବର୍ତ୍ତମାନ ବିଶାଖାପାଟନମଠାରୁ ୭୧୦ କିମି ଏବଂ ଚେନ୍ନାଇଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା। ବାତ୍ୟା ‘ମୁରାସୁ’ର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାକୁ ବଡ଼ ବର୍ଷା ଭୟ।
ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ନେଲୋର ଓ ନରସାପୁର ଉପକୂଳ ମଧ୍ୟରେ ଏହା ଅତିକ୍ରମ କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ୟ୍ୟନ୍ତ ରହିପାରେ। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ଅପେକ୍ଷାକୃତ କମ୍ ରହିବାର ସମ୍ଭାବନା ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ।
ଆସନ୍ତା ୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନ ୬୦ କିଲୋମିଟର ଯାଏଁ ରହିପାରେ। ଉପକୂଳ ଓ ଅନ୍ୟ କେତେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଟକା ପବନ ଆଶଙ୍କା ଥିବାରୁ ଜାରି ହୋଇଛି ୟେଲୋ ଆଲର୍ଟ।
ନଭେମ୍ବର ୨ ତାରିଖରୁ ରାଜ୍ୟରେ ବର୍ଷା ଓ ପବନର ପ୍ରଭାବ ରହିବା ସହ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନ ୬୦ କିଲୋମିଟର ପର୍ୟ୍ୟନ୍ତ ରହିପାରେ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ସେହିପରି ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ଅରେଞ୍ଜ ଆଲର୍ଟ। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପବନ ସହ ବିଜୁଳି ଘଡ଼ଘଡ଼ି ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହା ସହ ସମ୍ପୂର୍ଣ୍ଣ ଜିଲ୍ଲାରେ ରହିବ ବର୍ଷାର ପ୍ରଭାବ। ସେପଟେ ନଭେମ୍ବର ୫ ତାରିଖରୁ ବର୍ଷାର ପରିମାଣ ଧିରେ ଧିରେ କମିବା ଆଶା କରାଯାଉଛି। ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକେ ବିଶେଷ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ।
ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ନଭେମ୍ବର ୨ରୁ ୪ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଏବେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନେ ଶୀଘ୍ର କୂଳକୁ ଫେରି ଆସିବା ଉଚିତ। ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ବର୍ଷାର ପ୍ରଭାବକୁ ନଜରରେ ରଖି ଆଗାମୀ ୨, ୩ ଓ ୪ ତାରିଖ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।
ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ କହିଛି ଯେ, ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ନଦୀକୂଳ ଓ ତଳିଆ ଅଞ୍ଚଳର ଲୋକେ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାରୁ ବିରତ ରୁହନ୍ତୁ। ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ପ୍ରଶାସନର ନିର୍ଦ୍ଦେଶ ଓ ସରକାରୀ ସୂଚନାକୁ ଅନୁସରଣ କରନ୍ତୁ। ପ୍ରଶାସନର କାର୍ୟ୍ୟ ଓ ନିର୍ଦ୍ଦେଶ ପାଳନରେ ସହଯୋଗ କରି ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ।
