ଧର୍ମେନ୍ଦ୍ର ଇସ୍ତଫା ପରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ-ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶାରେ ରାଜନୈତିକ ବୟାନବାଜି ଜୋର ଧରିଛି। ଏହି ଘଟଣାକୁ ନେଇ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବାରୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଇସ୍ତଫା ଦେବା ଉଚିତ। ସେ ଆହ୍ୱାନ ଦେଇଛନ୍ତି ଯେ, ଆଗାମୀ ୭ ଦିନ ଭିତରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ ଡାକରା ଦିଆଯିବ। ଏଥିସହ ରାଜ୍ୟରେ ବ୍ୟାପକ ‘ଜେନ-ଜି’ ଆନ୍ଦୋଳନ ହେଲେ ତାଙ୍କ ସହ ରାଜ୍ୟ କଂଗ୍ରେସ ଠିଆ ହେବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ସେପଟେ ବିଜେଡି ମଧ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠାଇଛି। ବରିଷ୍ଠ ବିଜେଡି ନେତା ମହେଶ ସାହୁ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ଦୁଇ ହଜାରରୁ ଅଧିକ ତ୍ରୁଟି ଥିବା ବେଳେ ରାଜ୍ୟ ସରକାରଙ୍କ ନୀତି ଆଦର୍ଶ କେଉଁଠି ହଜିଗଲା? ଏଭଳି ପରିସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଅନିବାର୍ଯ୍ୟ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ ବିଜେପି ବିରୋଧୀ ଦଳମାନଙ୍କ ଟୀକାକୁ ପ୍ରତ୍ୟାଖ୍ୟାନ କରିଛି। ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି, “ଭଣ୍ଡାରି ଦେଖିଲେ ନଖ ଯେମିତି କଅଁଳେ, କାଲିର ଘଟଣା ଦେଖି ବିରୋଧୀ ଦଳ ସେମିତି ହେଉଛନ୍ତି।” ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ‘ଜେନ-ଜି’ ଆନ୍ଦୋଳନର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ରାଜନୈତିକ ଦଳ ହିସାବରେ ସେମାନେ ଏହା କରିପାରନ୍ତି, କିନ୍ତୁ ଏହାର ପ୍ରାସଙ୍ଗିକତା ନାହିଁ ବୋଲି ବିଜେପି ନେତା ମତ ଦେଇଛନ୍ତି।
