FeaturedLatestNews

ରକ୍ଷାବନ୍ଧନ ଦିନ ୧ କୋଟି ମହିଳାଙ୍କୁ ସୁଭଦ୍ରା ୫ମ କିସ୍ତି, ବଞ୍ଚିତଙ୍କୁ ଏକାସାଙ୍ଗରେ ୫ କିସ୍ତି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ଯୋଜନା ‘ସୁଭଦ୍ରା’ର ହିତାଧିକାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତା ୨୮ ଅଗଷ୍ଟ (ରକ୍ଷାବନ୍ଧନ) ଦିନ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ଏହି ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଏହି ଅବସରରେ ନୟାଗଡ଼ଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୮ ଅଗଷ୍ଟ ସୁଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚ ଓ ସୁପାରିଶ କରାଯାଇଥିବା ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ।

ପୂର୍ବ କିସ୍ତିରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଏକ ବିଶେଷ ବ୍ୟବସ୍ଥା ରହିଛି। ସେମାନେ ଯାଞ୍ଚ ପରେ ଏକାସାଙ୍ଗରେ ୫ଟି କିସ୍ତି (ଅର୍ଥାତ୍ ୨୫,୦୦୦ ଟଙ୍କା) ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ୩.୧୭ ଲକ୍ଷ ନୂତନ ଆବେଦନ ପ୍ରାପ୍ତ ହୋଇଛି, ଯେଉଁଥିରୁ ଅଧିକାଂଶ ଆବେଦନର କ୍ଷେତ୍ର ଯାଞ୍ଚ ଶେଷ ହୋଇସାରିଛି।

ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି (DBT) ମାଧ୍ୟମରେ ୫,୦୦୦ ଟଙ୍କା ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭, ୨୦୨୪ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବାର୍ଷିକ ଦୁଇଟି କିସ୍ତି (ରକ୍ଷାବନ୍ଧନ ଓ ଆନ୍ତର୍ଜାତୀକ ମହିଳା ଦିବସ)ରେ ମୋଟ ୧୦,୦୦୦ ଟଙ୍କା ଦିଆଯାଉଛି। ୫ ବର୍ଷ ମଧ୍ୟରେ ଜଣେ ହିତାଧିକାରୀଙ୍କୁ ସର୍ବମୋଟ ୫୦,୦୦୦ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *