ବିଧାନସଭା ଶୀତ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହ ମୁଲତବୀ
ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାର ଶୀତ ଅଧିବେଶନରେ ଆଜି ବି ଗୃହ ସ୍ୱାଭାବିକ ଭାବେ ଚାଲିପାରିନାହିଁ। ବିରୋଧୀଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା ମଧ୍ୟରେ ବାଚସ୍ପତି ସୁରମା ପାଢୀ ଶୁକ୍ରବାର ସକାଳ ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି।
ବୁଧବାର ଦିନ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ। ପ୍ରଥମ ଦିନରେ କିଛି ସମୟ ଗୃହ ଚାଲିବା ପରେ ମୁଲତବୀ ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।
ଏହାପରେ ଗୁରୁବାର ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ। ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ପକ୍ଷରୁ ହଙ୍ଗାମା ଆରମ୍ଭ ହୋଇଥିଲା। କୋଟିଆ ପ୍ରସଙ୍ଗରେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଯାହାଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ତେବେ ବାରମ୍ବାର ମୁଲତବୀ ଏବଂ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ସ୍ଥିତି ସୁଧୁରିନାହିଁ। ଗୃହ ଆରମ୍ଭ ହେଉ ହେଉ ହୋହାଲ୍ଲା ଓ ପ୍ରତିବାଦ ଆରମ୍ଭ ହୋଇଥିଲା। ନିଜ ଦାବି ନେଇ ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାରେ ବାଧା ସୃଷ୍ଟି ହୋଇଥିଲା। ବାଚସ୍ପତି ଗୃହକାର୍ଯ୍ୟକୁ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
