FeaturedLatestNews

ଭୀଷଣ ବାତ୍ୟା ‘ଅକଭାନ୍’: ଗୋପାଳପୁର ନିକଟରେ କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର (ସଂକେତ ଟିଭି): ଭୀଷଣ ବାତ୍ୟା ‘ଅକଭାନ୍’ର ଗତିର ବେଗ ବଢ଼ୁଛି। ବାତ୍ୟା ‘ଅକଭାନ୍’ ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଆଗକୁ ବଢ଼ୁଥିବା ବେଳେ କଳିଙ୍ଗପଟ୍ଟନମ୍ ଠାରୁ ୪୦୦ କି.ମି., ଗୋପାଳପୁର ଠାରୁ ୪୯୦ କି.ମି. ଏବଂ ପୁରୀ ଠାରୁ ୫୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।

ବର୍ତ୍ତମାନ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ନରସାପୁରରୁ ପୁରୀ ମଧ୍ୟରେ, ବିଶେଷକରି ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟ୍କା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ପବନ ଓ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।

ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ୨୦ ସେଣ୍ଟିମିଟର କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଏଠାରେ ୭ରୁ ୧୨ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି।

ଶୁକ୍ରବାର ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବ। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଆଗାମୀ ଦୁଇ ଦିନ ଧରି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ନଭେମ୍ବର ୨୧ ତାରିଖରୁ ବର୍ଷାର ପରିମାଣ କମିବ।

ଅନ୍ୟପଟେ ମତ୍ସ୍ୟଜୀବୀଙ୍କ ପାଇଁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶା ଉପକୂଳ ଦେଇ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ବନ୍ଦର ପାଇଁ ସିଗନାଲ୍ ନମ୍ବର-୩ ଜାରି କରାଯାଇଛି।

ବାତ୍ୟା ‘ଅକଭାନ୍’ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ମଧ୍ୟାହ୍ନ ବେଳକୁ ଗୋପାଳପୁର ନିକଟରେ ସ୍ଥଳଭାଗ ସ୍ପର୍ଶ କରିପାରେ ବାତ୍ୟା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ। ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ପ୍ରକୋପ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Leave a Reply

Your email address will not be published. Required fields are marked *