ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ୧,୩୨୨ କୋଟି ଋଣ ଠକେଇ ମାମଲା ରୁଜୁ କଲା ସିବିଆଇ
ନୂଆଦିଲ୍ଲୀ (ସଂକେତ ଟିଭି): ଜି ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ସମେତ ଅନ୍ୟ ୪ ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି । ଏହି ମାମଲାରେ ୧,୩୨୨ କୋଟି ଟଙ୍କାରୁ ଅଧିକ ଋଣ ଠକେଇର ଅଭିଯୋଗ ଆଧାରରେ CBI FIR ଦାଖଲ କରିଛି ।
CBI ସୁଭାଷ ଚନ୍ଦ୍ରାଙ୍କ ବ୍ୟତୀତ ପଙ୍କଜ ସୁରୋଲିଆ, ଅମିଶ ପାଣ୍ଡ୍ୟା ଏବଂ ରାଜୀବ ଢୋଲକିଆଙ୍କ ନାମ ମଧ୍ୟ FIRରେ ରଖିଛି । ଏହି ମାମଲାରେ ଠକେଇ, ବିଶ୍ୱାସଭଙ୍ଗ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ରହିଛି । LIC Housing Finance Limited ଦାଖଲ କରିଥିବା ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି ।
ସୂଚନାନୁଯାୟୀ, ୨୦୧୮ ମସିହାରେ ସୁଭାଷ ଚନ୍ଦ୍ରା ନିଜ କମ୍ପାନୀଗୁଡ଼ିକ ପାଇଁ ଋଣ ନେବା ସମୟରେ ଏକ ନେଟ୍ୱର୍ଥ ସାର୍ଟିଫିକେଟ୍ ଦାଖଲ କରିଥିଲେ । ସେଥିରେ ତାଙ୍କ ବ୍ୟକ୍ତିଗତ ନେଟ୍ୱର୍ଥ ପ୍ରାୟ ୫୯,୧୧୩ କୋଟି ଟଙ୍କା ବୋଲି ଦର୍ଶାଇଥିଲେ । ଏହି ନେଟ୍ୱର୍ଥକୁ ଆଧାର କରି LIC Housing Finance ତାଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକୁ ୧,୩୨୨ କୋଟିରୁ ଅଧିକ ଋଣ ପ୍ରଦାନ କରିଥିଲା ।
ପରବର୍ତ୍ତୀ ସମୟରେ କମ୍ପାନୀଗୁଡ଼ିକ ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲେ । ଏହାପରେ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାଙ୍କ ଉପରେ ୨୨,୦୦୦ କୋଟି ଟଙ୍କାର ଦେନା ଥିଲା । ସେ ମାତ୍ର ୬.୫ କୋଟି ଟଙ୍କା ଦେଇ ମାମଲା ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ ।
NCLT (ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍)ର ସିଙ୍ଗଲ୍ ବେଞ୍ଚ ଏହି ପ୍ରସ୍ତାବକୁ ମଞ୍ଜୁର କରିଦେଇଥିଲା । କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ବ୍ୟାପକ ବିବାଦ ହେବା ପରେ NCLT ମାମଲାର ଶୁଣାଣି ପାଇଁ ୫ ଜଣିଆ ବୃହତ୍ ବେଞ୍ଚ ଗଠନ କରିଥିଲା । ତେବେ ଚନ୍ଦ୍ରା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ।
NCLT ହେଉଛି ଦେଶର ଏକ ବିଶେଷ ନ୍ୟାୟିକ ସଂସ୍ଥା, ଯାହା କମ୍ପାନୀ ଏବଂ ବ୍ୟବସାୟ ସହ ଜଡ଼ିତ ବିବାଦର ସମାଧାନ କରେ । କୌଣସି କମ୍ପାନୀ କିମ୍ବା ବ୍ୟବସାୟୀ ନିଜର ଋଣ ପରିଶୋଧ କରିପାରିନଥିଲେ କିମ୍ବା ଦେବାଳିଆ ହେବାକୁ ଯାଉଥିଲେ, ବ୍ୟାଙ୍କ ଓ ଋଣଦାତାମାନେ ଋଣ ଆଦାୟ କିମ୍ବା କମ୍ପାନୀକୁ ପୁଣି ଠିକ୍ ଭାବେ ଚଳାଇବା ପାଇଁ ସାଧାରଣତଃ NCLTର ଦ୍ୱାରସ୍ଥ ହୁଅନ୍ତି ।
