FeaturedLatestNews

ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ଆଣ୍ଡାମାନ ସାଗରରେ ଏକ ସଦୃଶ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଅକ୍ଟୋବର ୨୩ରେ (ଆସନ୍ତାକାଲି ଶୁକ୍ରବାର) ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଥାଇଲାଣ୍ଡ ଉପସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଥାଇଲାଣ୍ଡ ଓ ମିଆଁମାର ଉପରେ ସକ୍ରିୟ ଥିବା ଏହି ଘୂର୍ଣ୍ଣିବଳୟ କେନ୍ଦ୍ରୀୟ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ସିଷ୍ଟମ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଥିବାରୁ ୨୩ରେ ଲଘୁଚାପ ସୃଷ୍ଟି ହେବା ନେଇ ଅନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଯେ, “ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା ପରେ ଏହି ସିଷ୍ଟମ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଏହା ପରବର୍ତ୍ତୀ ତିନି ଦିନ ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇପାରେ।”

ସେହିପରି ଅନ୍ୟ କେତେକ ପାଣିପାଗ ମଡେଲ୍ ଅନୁସାରେ “ଏହି ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ।” ଏପଟେ ଆଇଏମଡି (IMD)ର ଜଣେ ବୈଜ୍ଞାନିକ କହିଛନ୍ତି ଯେ “ସିଷ୍ଟମ ସୃଷ୍ଟି ହେବା ଏବଂ ଏହାର ଗତିପଥ ସ୍ପଷ୍ଟ ହେବା ପରେ ହିଁ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରେ।”

ବଙ୍ଗୋପସାଗରରେ ଏହି ସମ୍ଭାବ୍ୟ ବାତ୍ୟା ସଦୃଶ ପ୍ରଣାଳୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କେତେକ ବିଦେଶୀ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛନ୍ତି ଯେ, ଏହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ। ଏହାର ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଏପର୍ଯ୍ୟନ୍ତ ଅନିଶ୍ଚିତ ରହିଛି।

ଉତ୍ତର ତାମିଲନାଡୁ ଉପକୂଳ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ପ୍ରଣାଳୀ ଅକ୍ଟୋବର ୨୩କୁ ଏକ ଲଘୁଚାପ ବଳୟରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ ପ୍ରଭାବରେ ଆସନ୍ତା ତିନି ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟାନ୍ୟ ଅଞ୍ଚଳରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ପ୍ରଣାଳୀ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବା ସହ ଅକ୍ଟୋବର ୨୭ ସୁଦ୍ଧା ଅବପାତର ରୂପ ନେଇପାରେ।

Leave a Reply

Your email address will not be published. Required fields are marked *