FeaturedLatestNews

ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦଙ୍କ ପରଲୋକ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଆଇଜି ଶେଫିନ୍ ଅହମ୍ମଦଙ୍କ ପରଲୋକ ଘଟିଛି। କେରଳର ତିରୁବନନ୍ତପୁରମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶେଷ ନିଶ୍ୱାସ ଘଟିଛି। ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ଥିବା ଏହି ଅଧିକାରୀଙ୍କ ବିୟୋଗରେ ପୋଲିସ ମହଲରେ ଶୋକର ଛାୟା ଖେଳିଯାଇଛି।

ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ନିର୍ବାହ କରିଥିଲେ। ଶେଷ ସମୟରେ ସେ ସିଆଇଡି-କ୍ରାଇମବ୍ରାଞ୍ଚର ଆଇଜି ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଏଚଆରପିସି, ଅଗ୍ନିଶମ ବିଭାଗ ଓ ହୋମଗାର୍ଡ଼ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।

କେରଳର ମୂଳ ବାସିନ୍ଦା ହୋଇଥିବାରୁ ସେ ଇଣ୍ଟର-କ୍ୟାଡର ଡେପୁଟେସନରେ କେରଳରେ ମଧ୍ୟ ଦୀର୍ଘ ସମୟ କାର୍ଯ୍ୟ କରିଥିଲେ। ସେଠାରେ ତିରୁବନନ୍ତପୁରମ ରୁରାଲ୍ ଏସପି ଭାବେ ମଧ୍ୟ ସେ ଦାୟିତ୍ୱ ସମ୍ଭାଳିଥିଲେ। ଜଣେ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଧିକାରୀ ଭାବେ ତାଙ୍କର ପରିଚୟ ଥିଲା, ବିଶେଷକରି ସାଇବର ଅପରାଧ ଓ ତଦନ୍ତ କ୍ଷେତ୍ରରେ ସେ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ।

ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ଓଡ଼ିଶା ପୋଲିସ ବିଭାଗ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛି।