CrimeFeaturedLatestNews

୫,୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଆରଆଇ

କେନ୍ଦ୍ରାପଡ଼ା(ସଂକେତ ଟିଭି): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ତହସିଲ ଅଧୀନ କାଉପଡ଼ା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷିକା (Revenue Inspector) ସାଇ ପ୍ରିୟଦର୍ଶିନୀ ଲେଙ୍କାଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ନେଉଥିବାବେଳେ ରେଡ୍ ହ୍ୟାଣ୍ଡରେ ଧରିଛି। ଜମି ମ୍ୟୁଟେସନ୍ କରିଦେବା ପାଇଁ ଜଣେ ଆବେଦନକାରୀଙ୍କ ଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, କାଉପଡ଼ା ଗ୍ରାମର ଅନାମ ଚରଣ ଓଝା କିଛି ବର୍ଷ ତଳେ ଏକ ଜମି କିଣିଥିଲେ। ଏହି ଜମିର ମ୍ୟୁଟେସନ୍ କରାଇ ନିଜ ନାମରେ ପଟ୍ଟା ପାଇବା ପାଇଁ ସେ ଗତ ଜୁନ୍ ମାସରେ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନର ଫଇସଲା ନ ହେବାରୁ ସେ ବାରମ୍ବାର ରାଜସ୍ୱ ନିରୀକ୍ଷିକା ଶ୍ରୀମତୀ ଲେଙ୍କାଙ୍କୁ ଭେଟି କାର୍ଯ୍ୟଟି ଶୀଘ୍ର କରିବାକୁ ଅନୁରୋଧ କରୁଥିଲେ।

ଏହାର ସୁଯୋଗ ନେଇ RI ଶ୍ରୀମତୀ ଲେଙ୍କା ଅନାମ ଓଝାଙ୍କ ନିକଟରେ ଅନୁକୂଳ ରିପୋର୍ଟ ପ୍ରଦାନ ଏବଂ ପଟ୍ଟା ଯୋଗାଇ ଦେବା ପାଇଁ ପ୍ରଥମେ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଅଭିଯୁକ୍ତା RI ଲାଞ୍ଚ ପରିମାଣ ୫,୫୦୦ ଟଙ୍କାକୁ ହ୍ରାସ କରିଥିଲେ।

RI ଙ୍କ ଶୋଷଣ ଓ ହଇରାଣରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଅନାମ ଓଝା ଏହି ଘଟଣା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହି ଅଭିଯୋଗକୁ ଆଧାର କରି ଆଜି (ଶୁକ୍ରବାର) ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆରଆଇଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଅନାମ ଓଝାଙ୍କ ଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି।

ଗିରଫ ପରେ ଭିଜିଲାନ୍ସ ଟିମ୍ RI ଶ୍ରୀମତୀ ଲେଙ୍କାଙ୍କ ଆୟବହିର୍ଭୂତ ସମ୍ପତ୍ତି (DA) ଠାବ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଆଜି ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ମାମଲା ନଂ-୨୭, ତା-୨୩.୦୭.୨୦୨୬, U/s-7 P.C (Amendment) Act, 2018 ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତା RI ଲେଙ୍କାଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଏହି ବିଷୟରେ ସବିଶେଷ ରିପୋର୍ଟ ପରେ ପ୍ରକାଶ ପାଇବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।