ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ
ଭୁବନେଶ୍ୱର (ସଂକେତ ଟିଭି): ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି।
ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ସୌଦାନ ସିଂଙ୍କ ଏହି ଗସ୍ତ ରାଜ୍ୟ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଦାନ ସିଂଙ୍କ ଭେଟଘାଟକୁ ନେଇ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଶେଷ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚାଇବା ତଥା ରାଜ୍ୟର ସାମଗ୍ରିକ ବିକାଶ ସମ୍ପର୍କରେ ଫଳପ୍ରଦ ବିଚାରବିମର୍ଶ ହୋଇଛି।
ସୌଦାନ ସିଂଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ ବୋଲି ମତ ପ୍ରକାଶ ପାଇଛି।
ସେପଟେ ବିଧାୟକ ଫକୀର ମୋହନ ନାୟକ କହିଛନ୍ତି ଯେ ସୌଦାନ ସିଂଙ୍କ ସହିତ ଚର୍ଚ୍ଚା ଆଲୋଚନା ହୋଇଛି। ସଂଗଠନକୁ ନେଇ ଆଲୋଚନା କରାଯାଇଛି ଏବଂ ସଂଗଠନ ସହିତ ଚାଲିବା ପାଇଁ କୁହାଯାଇଛି। ଦଳ ଯଦି ରହିବ, ସଂଗଠନ ମାଧ୍ୟମରେ ରହିବ ବୋଲି ସେ ମତ ଦେଇଛନ୍ତି।
ସଂଗଠନକୁ ଅଧିକ ଗୁରୁତ୍ୱ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଗାଁକୁ ଯାଆ, ଲୋକଙ୍କ ସୁଖ ଦୁଃଖରେ ରହିବାକୁ କୁହାଯାଇଛି।
ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂ ଦେଓ ରାଜ୍ୟ କାର୍ଯ୍ୟାଳୟରେ ସୌଦାନ ସିଂ ସହିତ ସାକ୍ଷାତ କରିଛନ୍ତି। ସୂଚନା ଅନୁସାରେ ଆସନ୍ତାକାଲି ମଧ୍ୟ ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କ ସହିତ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ଆଲୋଚନା କରିବେ।
