FeaturedLatestNews

ଧର୍ମଶାଳା ଏବିଇଓଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର(ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ (ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ) ଜୟଦେବ ଜେନାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଆଜି (୧୨.୧୦.୨୦୨୬) ଏକକାଳୀନ ଚଢ଼ାଉ କରୁଛି ଓଡ଼ିଶା ଭିଜିଲାନ୍ସ।

ତାଙ୍କ ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବ୍ରହ୍ମପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି। ୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି।

ଯେଉଁ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି:
୧. ଭୁବନେଶ୍ୱରର ପାତ୍ରପଡ଼ାସ୍ଥିତ ତିନି ମହଲା କୋଠା।
୨. ଗଞ୍ଜାମ ଜିଲ୍ଲାର ପି. ନୂଆଗାଁସ୍ଥିତ ଦୁଇ ମହଲା କୋଠା।
୩. ଗଞ୍ଜାମ ଜିଲ୍ଲାର ପି. ନୂଆଗାଁସ୍ଥିତ ଅନ୍ୟ ଏକ କୋଠା।
୪. ଗଞ୍ଜାମ ଜିଲ୍ଲାର ବୁରୁଝରିଠାରେ ଥିବା ତାଙ୍କ ଜଣେ ସମ୍ପର୍କୀୟଙ୍କ ଘର।
୫. ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ତାଙ୍କ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର।
୬. ଯାଜପୁର ଜିଲ୍ଲାର ଜାରକାସ୍ଥିତ ଭଡ଼ା ଘର।
୭. ଯାଜପୁର ଜିଲ୍ଲାର ଜାରକାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ।

ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ଜୟଦେବ ଜେନାଙ୍କ ୧୯ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି। ଏହା ସହ ତାଙ୍କ ନାମରେ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ଏକାଧିକ ବହୁତଳ କୋଠା ଥିବା ମଧ୍ୟ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ପାତ୍ରପଡ଼ାରେ ତାଙ୍କର ଏକ ତିନି ମହଲା କୋଠା ଠାବ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଆଉ ଦୁଇଟି ବହୁତଳ କୋଠା ଥିବା ଜଣାପଡ଼ିଛି।

ଏହାବ୍ୟତୀତ ଭୁବନେଶ୍ୱର, ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ମୋଟ ୧୯ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ରହିଛି। ଏତେ ସଂଖ୍ୟକ ପ୍ଲଟ୍ ଓ ବହୁତଳ କୋଠା ଠାବ ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ଠାବ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ, ଆୟର ଉତ୍ସ ଏବଂ ଅନ୍ୟାନ୍ୟ ଆର୍ଥିକ ତଥ୍ୟ ସମ୍ପର୍କରେ ସବିଶେଷ ସୂଚନା ମିଳିବା ପରେ ଘଟଣାର ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *