FeaturedGeneralLatestPolitics

ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବିଶାଳ ବିକ୍ଷୋଭ, ସୁପ୍ରିମକୋର୍ଟରେ ପିଟିସନ ଦାଖଲ

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହିତ ଇଣ୍ଡିଆ ବ୍ଲକର ୮ ଜଣ ନେତା ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା କରିଥିଲେ । ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟରେ ପହଞ୍ଚି ଅଫିସିଆଲ ଭାବେ ପିଟିସନ ରେଜିଷ୍ଟ୍ରର କରିଛି ।

ସୁପ୍ରିମକୋର୍ଟରେ ପୋଲିସ ଛାଉଣୀ ହୋଇଥିଲା । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପୋଲିସ ଆଲର୍ଟରେ ରହିଥିଲା ଏବଂ ସୁପ୍ରିମକୋର୍ଟକୁ ଯିବା ରାସ୍ତା ବନ୍ଦ କରିଦେଇଥିଲା । ଏହି ମାର୍ଚ୍ଚରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ପ୍ରିୟଙ୍କା ଗାନ୍ଧି ସମେତ ଅନେକ ରାଜନେତା ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ୨୦୦ ଜଣରୁ ଅଧିକ ଅଧିକାରୀ ବର୍ତ୍ତମାନ ବିରୋଧୀଙ୍କ ସଂସ୍ପର୍ଶରେ ଅଛନ୍ତି ଏବଂ ସମସ୍ତ ଗୁପ୍ତ ତଥ୍ୟ ଆମକୁ ଯାଞ୍ଚ କରି ପଠାଉଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ତୀବ୍ର ପ୍ରତିବାଦ ଜାରି ରହିଛି । ସରକାର ଏହି ବିବାଦରେ CEC ଜ୍ଞାନେଶ କୁମାରଙ୍କୁ ରକ୍ଷା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ ଓ ବିରୋଧୀ ନେତାଙ୍କ ସାକ୍ଷାତ ଅନୁରୋଧ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସ୍ପଷ୍ଟୀକରଣ ଦେଇଛନ୍ତି । ବିରୋଧୀ ନେତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ସେ ଅସମର୍ଥ ବୋଲି ଜଣାଇଛନ୍ତି । ତେବେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୋମବାର ଦିନ ନୂଆଦିଲ୍ଲୀରେ ହଜାର ହଜାର ଆନ୍ଦୋଳନକାରୀ ମାର୍ଚ୍ଚ କରି ଭୋଟର ତାଲିକା ସଂଶୋଧନ ସମୟରେ ଅଭିଯୁକ୍ତ ଅନିୟମିତତା ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ସଂଶୋଧନ ଦ୍ୱାରା ୧୩୩ ନିୟୁତରୁ ଅଧିକ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *