ପୋଖରୀକୁ ଖସିଲା ବରଯାତ୍ରୀ କାର୍ , ୫ ମୃତ, ୨ ଉଦ୍ଧାର
ଢେଙ୍କାନାଳ (ସଂକେତ ଟିଭି): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର-ଛାଟିଆ ଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଙ୍ଗୁର ସିଂହ ଗାଁରୁ ଇନ୍ଦୁପୁର ଛାଟିଆ ଗାଁକୁ ଆସୁଥିବା ଏକ ବରଯାତ୍ରୀ କାର୍ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ର ପୋଖରୀ ଭିତରକୁ ଖସିପଡ଼ିଥିଲା। ଏହି ଘଟଣାରେ କାର୍ ଭିତରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଖବର ପାଇ ଢେଙ୍କାନାଳ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ କାର୍ ଭିତରୁ ସମସ୍ତଙ୍କୁ ବାହାର କରି ଉଦ୍ଧାର କରିବା ସହ ୫ ଜଣଙ୍କୁ ମୃତ ଘୋଷଣା କରିଥିଲା। ମୃତକମାନେ ହେଲେ – ବାଙ୍ଗୁରସିଂହ ଗାଁର ରାମ ସାହ, ଅବିନାଶ ସାହୁ, ରାକେଶ କୁମାର ସାହୁ, ଚନ୍ଦ୍ରକାନ୍ତ ସ୍ବାଇଁ ଓ ଅନ୍ୟ ଜଣେ ବରର ମାଉସି ପୁଅ (ଭାଇ) ବୋଲି ଜଣାପଡ଼ିଛି।
ଅପରପକ୍ଷରେ ଦୁର୍ଘଟଣାରୁ ବଞ୍ଚିଥିବା ୨ ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତଦେହଗୁଡ଼ିକୁ ବ୍ୟବଛେଦ (ପୋଷ୍ଟମର୍ଟମ) ପାଇଁ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି। ଏହି ଦୁଃଖଦ ଖବର ବାଙ୍ଗୁରସିଂହ ଓ ଇନ୍ଦିପୁର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ବରଯାତ୍ରୀଙ୍କ ହସଖୁସି ମୁହୂର୍ତ୍ତ ନିମିଷକରେ ପାଣି ଫୋଟକା ପରି ମିଳାଇ ଯାଇଛି, ପାଳି ହୋଇଛି ଗଭୀର ଶୋକର ରାତି।
