ତାମିଲନାଡୁରେ ମହିଳାଙ୍କୁ ୮ ଗ୍ରାମ ସୁନା-ଶାଢ଼ୀ, ଏଆଇ ପ୍ରଶିକ୍ଷଣ ପାଇଁ ୫ ଲକ୍ଷ ଟଙ୍କା ଘୋଷଣା
ଚେନ୍ନାଇ(ସଂକେତ ଟିଭି): ତାମିଲନାଡୁର ବିଜୟ ସରକାର ବଜେଟ ୨୦୨୬-୨୭ରେ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଏନ. ମେରୀ ୱିଲସନ୍ ବିଧାନସଭାରେ ଉପସ୍ଥାପିତ କରିଥିବା ବଜେଟର ‘ବ୍ରଦର୍ସ ଗିଫ୍ଟ ସ୍କିମ’ ଅଧୀନରେ ମହିଳାମାନଙ୍କୁ ୮ ଗ୍ରାମ ସୁନାର କଏକ ଏବଂ ସିଲ୍କ ଶାଢ଼ୀ ଯୋଜନା ପାଇଁ ୮୧୨ କୋଟି ଟଙ୍କା ପ୍ରସ୍ତାବ ଆଗତ କରାଯାଇଛି। ଏହି ଉପହାର ଝିଅମାନଙ୍କ ବିବାହ ସମୟରେ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ତାଙ୍କ ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଏପରି ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ବଜେଟ୍ ମାଧ୍ୟମରେ ସେହି ପ୍ରତିଶ୍ରୁତି ପୂରଣ କରାଯାଇଛି। ବିଜୟ ସରକାରଙ୍କର ଏହା ପ୍ରଥମ ବଜେଟ୍ ହୋଇଥିବାରୁ ଏଥିପ୍ରତି ସମସ୍ତଙ୍କ ଦୃଷ୍ଟି ରହିଥିଲା।
ଅର୍ଥମନ୍ତ୍ରୀ ୱିଲସନ୍ କହିଛନ୍ତି ଯେ, ରାଜ୍ୟକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଟେଣ୍ଡରରେ କିଛି ଦଳ ଓ ବ୍ୟକ୍ତିବିଶେଷ ପାଇଥିବା କଟ୍ ବା କମିସନକୁ ବନ୍ଦ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏହାସହ ପ୍ରଥମ ଥର ହଜ୍ ଯାତ୍ରୀମାନଙ୍କ ପାଇଁ ସବସିଡି ୨୫ ହଜାର ଟଙ୍କାରୁ ବୃଦ୍ଧି କରି ୩୫ ହଜାର ଟଙ୍କା କରାଯାଇଛି।
କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମଧ୍ୟ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ତାମିଲନାଡୁକୁ ଅନ୍ତର୍ଜାତୀୟ କ୍ରୀଡ଼ାରେ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୦ଟି ‘ଅଲିମ୍ପିକ୍ ଉତ୍କର୍ଷ କେନ୍ଦ୍ର’ ନିର୍ମାଣ ପାଇଁ ୫.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ବିଶେଷ ପ୍ରାଧାନ୍ୟ ଦେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ୨୦୩୧ ସୁଦ୍ଧା ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜ, ପଲିଟେକନିକ କଲେଜ ଏବଂ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର ଏଆଇ ସ୍କିଲ୍ ଟ୍ରେନିଂ ପ୍ରଦାନ କରାଯିବ। ଏହା ରାଜ୍ୟର ଯୁବପିଢ଼ିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି।
