FeaturedLatestNews

ମା’ କନ୍ଧୁଣୀ ଦେବୀ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ବ୍ରହ୍ମପୁର(ସଂକେତ ଟିଭି): ଗଞ୍ଜାମ ଜିଲ୍ଲାର ତପ୍ତପାଣି ଆଜି ଉତ୍ସବ ମୁଖର ହୋଇ ଉଠିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଗସ୍ତକୁ ନେଇ ସାରା ଅଞ୍ଚଳରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି କନ୍ଧୁଣୀ ଦେବୀଙ୍କ ପୀଠରେ ପହଞ୍ଚିଛନ୍ତି ଏବଂ ମାଆଙ୍କ ଦର୍ଶନ କରି ବିଧିବଦ୍ଧ ପୂଜାର୍ଚ୍ଚନା କରିଛନ୍ତି। ସ୍ଥାନୀୟ ଆଦିବାସୀ ପରମ୍ପରା ଅନୁଯାୟୀ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି।

ରାଷ୍ଟ୍ରପତିଙ୍କୁ ନିଜ ଆଖିରେ ଦେଖିବା ପାଇଁ ରାସ୍ତା କଡ଼ରେ ଶହ ଶହ ଲୋକ ଅପେକ୍ଷା କରି ରହିଥିଲେ। ଏହି ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରୋଟୋକଲ ଭାଙ୍ଗି ଏକ ଭାବପ୍ରବଣ ଦୃଶ୍ୟ ସୃଷ୍ଟି କରିଥିଲେ। ବ୍ରହ୍ମପୁର ମୀନାକ୍ଷୀ ନଗର ଛକରେ ସେ ନିଜ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ଏବଂ କଲେଜ ଛାତ୍ରୀ ଓ ଛୋଟ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତିଙ୍କ ଏହି ସହଜ ବ୍ୟବହାରରେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରଠାରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ। ପରେ ସେଠାରୁ ସଡ଼କ ପଥରେ ଯାଇ ତପ୍ତପାଣି ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସମଗ୍ର ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ଓ ବ୍ୟବସ୍ଥା କଡାକଡି ଭାବେ ପାଳନ କରାଯାଇଛି। ତପ୍ତପାଣି ପାଇଁ ଏହି ଗସ୍ତ ଏକ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *