ଘର ତାଲା ଭାଙ୍ଗି ୨୦ ଲକ୍ଷ ଟଙ୍କାର ସୁନା-ରୁପା ଓ ୮୦ ହଜାର ଟଙ୍କା ଲୁଟ୍
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାରିଙ୍ଗିଆ ଗାଁରେ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘର ତାଲା ଭାଙ୍ଗି ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା-ରୁପା ଅଳଙ୍କାର ସହିତ ନଗଦ ୮୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଅନନ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀ ପାଖରେ ଥିବା ମାଟି ଘରେ ଶୋଇଥିବା ବେଳେ ପକ୍କା ଘରେ କେହି ନଥିଲେ। ତାଙ୍କର ଦୁଇ ପୁଅ ବାହାରେ ରହୁଥିବାରୁ ଘରେ କେବଳ ବାପା-ମା’ ରହୁଥିଲେ। ଭୋର୍ ହେବାରୁ ଉଠି ଦେଖିବାବେଳକୁ ଲୁଟେରାମାନେ ଗ୍ରୀଲ୍ ଖୋଲି ଘରେ ପଶିଥିବା ଦେଖିବାକୁ ପାଇଥିଲେ।
ଅନ୍ୟପଟେ, ଚୋରି ହୋଇଥିବା ଘରଠାରୁ ୨ କିଲୋମିଟର ଦୂରରେ ଗାଁର କିଛି ଯୁବକ ଭୁବନେଶ୍ବରରୁ ଘରକୁ ଫେରୁଥିଲେ। ସେଠାରେ ୪ ଜଣ ଯୁବକ ବଜାରରେ ଥିବାବେଳେ ଲୋକମାନେ ସେମାନଙ୍କୁ ବିଭିନ୍ନ କଥା ପଚାରିବାରୁ ସେମାନେ ଦୁଇଟି ବାଇକ୍ ଛାଡ଼ି ଫେରାର୍ ହୋଇଯାଇଥିଲେ। ପରେ ବାଇକ୍ରେ ଥିବା ବ୍ୟାଗ୍ ଯାଞ୍ଚ କରିବାରୁ ସେଥିରେ ଏକ ଶାବଳ, କଟର ମେସିନ୍, ଡ୍ରିଲ୍ ମେସିନ୍ ଆଦି ଚୋରି ଉପକରଣ ଥିବା ଦେଖିବାକୁ ମିଳିଛି।
ଏହି ଘଟଣାର ଅଭିଯୋଗ ପରେ ଖଇରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଖୋଜିବା ପାଇଁ ପୋଲିସ୍ ବିଭିନ୍ନ ଦିଗରେ ଯାଞ୍ଚ କରୁଛି।
