FeaturedLatestNews

ବାହୁଡା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମହାପ୍ରଭୁଙ୍କ ଜନ୍ମବେଦୀରେ ଲୀଳାଖେଳା ଶେଷ ହେବାକୁ ବାକି। ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜଗନ୍ନାଥ। ଆସନ୍ତା ୨୪ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ସୁରୁଖୁରୁରେ ସମାପନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ଆଜି (ବୁଧବାର) ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ସେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଆଇନ ଶୃଙ୍ଖଳା ଏବଂ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ ଗ୍ରହଣ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କଠୋର ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପ୍ରାୟ ଠିକ୍ ଭାବରେ ପରିଚାଳିତ ହୋଇଛି। ଲଗାଣ ବର୍ଷା, ପ୍ରତିକୂଳ ପାଗ, ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଅଧିକାରୀ, କର୍ମଚାରୀ ଓ ଭକ୍ତମାନଙ୍କ ସେବା ଓ ସମର୍ପଣ ପ୍ରଭାବିତ ହୋଇନାହିଁ। ସେବାୟତମାନଙ୍କ ନିଷ୍ଠା ଓ ସମର୍ପଣ ମନୋଭାବର ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଟିମ୍ ସ୍ପିରିଟ୍ରେ କାର୍ଯ୍ୟ କରୁଥିବାରୁ ମଧ୍ୟ ସେ କୃତଜ୍ଞତା ପ୍ରକାଶ କରିଛନ୍ତି।

ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପୁରୀ ସହରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ସଜାଗ ରହି ସମସ୍ତ ବ୍ୟବସ୍ଥା ନିୟମିତ ପରିଚାଳନା ଓ ତଦାରଖ କରୁଛନ୍ତି। ପହଣ୍ଡି, ରଥଟଣା, ଦକ୍ଷିଣ ମୋଡ଼ ଓ ଆଡପ ମଣ୍ଡପ ଦର୍ଶନ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପୋଲିସ ଡିଜି ୱାଇ.ବି. ଖୁରାନିଆ, ଅଗ୍ନିଶମ ପୋଲିସ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ଏବଂ ପୋଲିସ ଅଧୁନିକରଣର ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡା ଓ ସୁନାବେଶ ପରିଚାଳନା ସମ୍ପର୍କରେ ନିଜ ମତାମତ ରଖିଥିଲେ।

ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏହି ଦୁଇ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି।