ମାଲକାନଗିରି ବିମାନ ବନ୍ଦରରେ ପରୀକ୍ଷାମୂଳକ ଉଡ଼ାଣ ସଫଳ
ମାଲକାନଗିରି (ସଂକେତ ଟିଭି) ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସିର ଖବର ଆସିଛି। ଆଉ ରାଜଧାନୀ ଭୁବନେଶ୍ୱର ଯିବାକୁ ବସରେ ୧୫ ଘଣ୍ଟାର ଲମ୍ବା ଯାତ୍ରା କରିବାକୁ ପଡ଼ିବ ନାହିଁ, କାରଣ ଖୁବ୍ ଶୀଘ୍ର ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବାକୁ ଯାଉଛି।
ଆଜି ମାଲକାନଗିରି ବିମାନ ବନ୍ଦରରେ ଇଣ୍ଡିଆ ଅନ୍ ଏୟାରର ୯ ଆସନ ବିଶିଷ୍ଟ ପ୍ରଥମ ଯାତ୍ରୀବାହୀ ବିମାନ ପରୀକ୍ଷାମୂଳକ ଭାବେ ଅବତରଣ କରିଛି। ବିମାନ ଅବତରଣ କରିବାର ୩ ଘଣ୍ଟା ପୂର୍ବରୁ ସମସ୍ତ ବିଭାଗ ପ୍ରସ୍ତୁତ ରହିଥିଲେ। ବିମାନ ଖଲାସ ହେବା ପରେ ଦମକଳ ବାହିନୀ ପକ୍ଷରୁ ୱାଟର କେନନ ଦେଇ ବିମାନଟିକୁ ସ୍ବାଗତ କରାଯାଇଥିଲା।
ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା, ରନୱେ, ଟର୍ମିନାଲ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଆଡଭାନ୍ସ ଲାଇଫ ସପୋର୍ଟ ସହ ଆନୁସଙ୍ଗୀକ ବ୍ୟବସ୍ଥାର ତଦାରଖ କରିବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗର ୨ ଜଣ ବରିଷ୍ଠ ଅଧିକାରୀ ମନୋଜ କୁମାର ଦାସ ଓ ନିରଜ କୁମାର ନାୟକ ମାଲକାନଗିରି ପହଞ୍ଚିଛନ୍ତି। ସେମାନେ ସବୁ ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
ଟ୍ରାଏଲ ରନ ସଫଳ ହୋଇଥିବା ପାଇଲଟ କହିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ମଧ୍ୟ କହିଛନ୍ତି ଯେ, ଖୁବ୍ ଶୀଘ୍ର ସାଧାରଣ ଯାତ୍ରୀ ମାଲକାନଗିରିରୁ ବିମାନରେ ବସି ଯାତ୍ରା କରିପାରିବେ।
