ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି: ଦକ୍ଷିଣମୋଡ଼ ସମ୍ପନ୍ନ
ପୁରୀ(ସଂକେତ ଟିଭି): ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ରତ୍ନବେଦୀକୁ ଫେରିବେ କଳା ସାଆନ୍ତେ। ପ୍ରଥା ଓ ପରମ୍ପରା ଅନୁଯାୟୀ ଆଜି ତିନି ରଥର ଦକ୍ଷିଣମୋଡ଼ କରାଯାଇଛି। ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ ଲାଗିଛି।
ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବା ବେଳେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା।
ବିଧି ପରମ୍ପରା ଅନୁଯାୟୀ, ଗତକାଲି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାର ସମ୍ମୁଖରେ ରଖାଯାଇଥିଲା।
ପ୍ରବଳ ବର୍ଷା ପ୍ରଭାବରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରିବାରେ ବିଳମ୍ବ ହୋଇଥିଲା। ଆଜି ସକାଳେ ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଇଛି।
ପ୍ରକ୍ରିୟା ଶେଷ ହେବା ପରେ ମନ୍ଦିର କର୍ତ୍ତୃପକ୍ଷ ରଥ ଗୁଡ଼ିକୁ ଯାଞ୍ଚ କରିବେ।
ଦକ୍ଷିଣ ମୋଡ଼ ସମୟରେ ଏକ ସ୍ୱତନ୍ତ୍ର ପରମ୍ପରା ପାଳନ କରାଯାଏ। ରଥଯାତ୍ରା ଓ ବାହୁଡ଼ା ଦିନ ସାଧାରଣତଃ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଏ। କିନ୍ତୁ ରଥର ଦକ୍ଷିଣ ମୋଡ଼ ସମୟରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ, ପରେ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଏ।
ତିନି ରଥ ନାକଚଣା ଦ୍ୱାର ନିକଟରେ ଦାରୁବ୍ରହ୍ମଙ୍କୁ ଶ୍ରୀମନ୍ଦିର ବାହୁଡ଼େଇ ନେବା ପାଇଁ ଅପେକ୍ଷାରେ ରହିଛନ୍ତି। ରଥ ଦକ୍ଷିଣ ମୋଡ଼ ପରମ୍ପରାକୁ ଦେଖିବା ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି।
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ଆସୁଥିବା ବେଳେ ଆଡ଼ପ ଦର୍ଶନ ପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
