CulturalLatestNews

ନୀଳଗିରିରେ ସମାପିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବାଲେଶ୍ବର (ସଂକେତ ଟିଭି): ‘ତୃତୀୟ ଶ୍ରୀକ୍ଷେତ୍ର’ ଭାବରେ ପରିଚିତ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ବିଧିବଦ୍ଧ ଭାବରେ ସମାପନ ହୋଇଯାଇଛି । ସୋମବାର ଦିନ ପ୍ରତ୍ୟୁଷରୁ ମନ୍ଦିରରେ ନୀତିକାଣ୍ଡ ଆରମ୍ଭ ହୋଇଥିଲା । ପ୍ରଥମେ ‘ଦ୍ୱାରଫିଟା’ ନୀତି ସମାପନ ପରେ ‘ସେନାପଟା ନୀତି’, ‘ମଙ୍ଗଳାର୍ପଣ’ ଏବଂ ‘ରାଜନୀତି ବନ୍ଦାପନା’ ନୀତି ଶେଷ ହୋଇଥିଲା ।

ଏହି ଅବସରରେ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ସୁପୁତ୍ର ଜନ୍ମଞ୍ଜୟ ହରିଚନ୍ଦନ ରାଜପ୍ରାସାଦରୁ ଆସି ବିଶେଷ ପୂଜାର୍ଚ୍ଚନା କରିଥିଲେ । ସେ ତିନି ଠାକୁରଙ୍କୁ ବନ୍ଦାପନା କରିବା ସହ ‘ଛେରାପହଁରା’ ନୀତି ସମ୍ପାଦନ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପକୁ ପାଛୋଟି ନେଇଥିଲେ ।

ସ୍ନାନ ମଣ୍ଡପକୁ ଠାକୁରମାନେ ଏକ ନିର୍ଦ୍ଦିଷ୍ଟ କ୍ରମରେ ବିଜେ କରିଥିଲେ । ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଏବଂ ସବୁଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିଥିଲେ । ଏହାପରେ ‘ମଙ୍ଗଳ ଆଳତୀ’, ‘ଅବକାଶ ଓ ସୂର୍ଯ୍ୟପୂଜା’ ଏବଂ ‘ରୋଷହୋମ’ ସମାପନ କରାଯାଇଥିଲା ।

ମହାସ୍ନାନ ପାଇଁ ୧୦୮ ସୁବାସିତ ଜଳ କଳଶ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ଏହି ଜଳରେ ଶାଳପର୍ଣ୍ଣି, ନାଗପର୍ଣ୍ଣି, ମଂଚିଷ୍ଠା, ଅଶ୍ଵଗନ୍ଧା, ତ୍ରିଫଳା, ଗରଚନା, କସ୍ତୁରୀ, ଜଟାମାସି, ଜାଇଫଳ, ହରିତାଳ, ଶ୍ରୀକର୍ପୂର, ଅଗୁର ଓ ଚନ୍ଦନ ମିଶ୍ରିତ ଥିଲା । ନିୟମାନୁସାରେ ମହାପ୍ରଭୁଙ୍କୁ ୩୫ କଳଶ, ବଳଭଦ୍ରଙ୍କୁ ୩୩ କଳଶ, ସୁଭଦ୍ରାଙ୍କୁ ୨୨ କଳଶ ଏବଂ ସୁଦର୍ଶନଙ୍କୁ ୧୮ କଳଶ ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।

ଏହି ପବିତ୍ର ମହାସ୍ନାନ ଜଳର ଟିକେ ପାଇବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ । ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଯେ, ଏହି ସ୍ନାନ ଜଳ ସେବନ କଲେ ଶରୀର ସୁସ୍ଥ ଓ ନୀରୋଗ ରହେ ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ପରେ ‘ସକାଳଧୂପ’ ପୂଜା ସମାପନ କରାଯାଇଥିଲା । ଏହାପରେ ତିନିଠାକୁର ‘ଗଜାନନ ବେଶ’ରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ସନ୍ଧ୍ୟା ସମୟରେ ‘ସନ୍ଧ୍ୟା ଆଳତୀ’ ଓ ‘ଦକ୍ଷିଣ ଆଳତୀ’ ପରେ ରାତ୍ରରେ ତିନିଠାକୁର ‘ଗୋଟି ପହଣ୍ଡି’ ବିଜେ କରି ଅଣସର ଘରକୁ ଯିବେ ।