FeaturedLatestNews

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା-ଛତିଶଗଡ଼ ସହମତ

ନୂଆଦିଲ୍ଲୀ(ସଂକେତ ଟିଭି): ମହାନଦୀ ଜଳ ବିବାଦ ଦୂର ହେବାର ସମ୍ଭାବନା ଦେଖାଦେଇଛି। ଏହି ବିବାଦର ଆପୋଷ ସମାଧାନ ପାଇଁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଶୁଣାଣିରେ ଏହି ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିଛି।

ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଏହି ମାମଲାର ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ଛତିଶଗଡ଼ ସରକାର ମୋହର ମାରିଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଛତିଶଗଡ଼ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଓଡ଼ିଶା ସହିତ ଆପୋଷ ଆଲୋଚନା ଜରିଆରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଆଗ୍ରହୀ ଅଛନ୍ତି। ଏହି ଆଲୋଚନା ଏବଂ ସହମତି ଆଧାରରେ ମାନ୍ୟବର ଟ୍ରିବ୍ୟୁନାଲ ଛତିଶଗଡ଼ ଠାରୁ ଏକ ଲିଖିତ ପ୍ରତିଶ୍ରୁତି ଲୋଡ଼ିଛନ୍ତି।

ଏହି ଲିଖିତ ପ୍ରତିଶ୍ରୁତିକୁ ଆଗାମୀ ଶୁଣାଣି ତାରିଖ ପୂର୍ବରୁ କୋର୍ଟରେ ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରିବ୍ୟୁନାଲ ଜୁଲାଇ ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଏହି ଆପୋଷ ସମାଧାନ ପ୍ରୟାସ ସଫଳ ହେଲେ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।