FeaturedLatestNewsPolitics

ବିଧାନସଭାରେ ବୁକ୍ ସର୍କୁଲାର-୪୭ ପ୍ରସଙ୍ଗ: ଅଧିକାରୀଙ୍କ ବ୍ୟବହାର ନେଇ ଉଦବେଗ

ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାରେ ସୋମବାର ପ୍ରଶ୍ନକାଳ ସମୟରେ ଲୋକ ପ୍ରତିନିଧିଙ୍କ ସମ୍ମାନ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉଠିଛି। ବୁକ୍ ସର୍କୁଲାର-୪୭ ଥିବା ସତ୍ତ୍ୱେ କାହିଁକି ଏହାକୁ ଅଣଦେଖା କରାଯାଉଛି ବୋଲି ବିଧାୟକମାନେ ଗୃହରେ ପ୍ରଶ୍ନ କରିଛନ୍ତି।

ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ନିମନ୍ତ୍ରଣ ମିଳୁନାହିଁ, ବୈଠକରେ ଉପଯୁକ୍ତ ସମ୍ମାନ ମିଳୁନାହିଁ, ଏପରିକି ଜିଲ୍ଲାପାଳ ଓ ବିଡିଓଙ୍କୁ ଫୋନ୍ କଲେ ମଧ୍ୟ ଉତ୍ତର ମିଳୁନାହିଁ। ସତ୍ୟଜିତ ଗମାଙ୍ଗଙ୍କଠାରୁ ଆରମ୍ଭ କରି ସୋଫିଆ ଫିର୍ଦ୍ଦୋଷ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ଏକାଧିକ ବିଧାୟକ ଏହି ସମାନ ଅଭିଯୋଗ ଉଠାଇଛନ୍ତି।

ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରଶ୍ନ କରିଛନ୍ତି ଯେ ଲୋକ ପ୍ରତିନିଧିମାନଙ୍କୁ ସମ୍ମାନ କାହିଁକି ମିଳୁନାହିଁ, କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କାହିଁକି ଦିଆଯାଉନାହିଁ। ଯଦି ସେମାନଙ୍କୁ ଡକାଯାଉଛି, ତାଙ୍କ ନାମ ସ୍ଥାନିତ କରାଯାଉନାହିଁ। ଜିଲ୍ଲାପାଳ ଜଣେ ବିଧାୟକଙ୍କ ଫୋନ୍ ମଧ୍ୟ ଉଠାଉ ନାହାନ୍ତି। ସେ ଅଧିକାରୀଙ୍କ ବିରୋଧରେ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି ଯେ ତାଙ୍କ ଅଫିସରୁ ୨୦୦ରୁ ଅଧିକ ବିଭିନ୍ନ ସମସ୍ୟା ନେଇ ବିଭାଗକୁ ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ବିଭାଗ ଉତ୍ତର ଦେଉନାହାନ୍ତି। ହାତଗଣତି ୧୦ଟି ବିଭାଗ ଉତ୍ତର ଦେଉଛନ୍ତି, କିନ୍ତୁ ସେଥିରେ କୌଣସି ସମାଧାନ ହୋଇନାହିଁ।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବୁକ୍ ସର୍କୁଲାର-୪୭ର ବୋଧେ ଆଉ ଅସ୍ତିତ୍ୱ ନାହିଁ। ବୈଠକ ଡାକିବା ପାଇଁ ବିଧାୟକ ତଥା ପୂର୍ବତନ ବାଚସ୍ପତି ଚିଠି ଲେଖିଲେ ମଧ୍ୟ ଉତ୍ତର ମିଳୁନାହିଁ। ସେହିଭଳି ତାଙ୍କ ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ସମିତି ବୈଠକ ବସୁଥିଲେ ମଧ୍ୟ ବିଡିଓ ତାଙ୍କୁ ନିମନ୍ତ୍ରଣ କରୁନାହାନ୍ତି। ଅଣନିର୍ବାଚିତ ଲୋକଙ୍କୁ ବୈଠକରେ ସ୍ଥାନିତ କରାଯାଉଛି, ଅଥଚ ସେମାନଙ୍କୁ ସୁଯୋଗ ମିଳୁନାହିଁ। ତେଣୁ ବୁକ୍ ସର୍କୁଲାର-୪୭କୁ ପ୍ରତ୍ୟାହାର କରିନେଲେ ବୋଧେ ଭଲ ହେବ ବୋଲି ସେ ମତ ଦେଇଛନ୍ତି।

ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ବୁକ୍ ସର୍କୁଲାର-୪୭ ପ୍ରତି ସରକାର ସଚେତନ ଅଛନ୍ତି। ସମ୍ବଲପୁରରେ ଏଥିକ୍ସ କମିଟି ପକ୍ଷରୁ ଆରଡିସି ସ୍ତରୀୟ ବୈଠକ କରାଯାଇଥିଲା, ସେଥିରେ ମଧ୍ୟ ବିଧାୟକମାନେ ଉପସ୍ଥିତ ରହି ନିଜର ମତ ବ୍ୟକ୍ତ କରିଥିଲେ। ବିଧାୟକମାନେ ଯେଉଁ ଅଭିଯୋଗ ଆଣୁଛନ୍ତି ସେ ସମ୍ବନ୍ଧରେ ସରକାର ବିଚାର କରୁଛନ୍ତି। ଆଗାମୀ ଦିନରେ କଟକରେ ବୈଠକ କରାଯିବା ନେଇ ବିଚାର କରାଯିବ। ସମସ୍ତ ସଦସ୍ୟଙ୍କୁ ସମ୍ମାନ ଜଣାଇ ଏହାର ସମାଧାନ କିପରି କରାଯାଇପାରିବ ସେଥିପାଇଁ ସରକାର ପ୍ରୟାସ କରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *