ବାଲେଶ୍ୱର ସ୍କୁଲରେ ଛୁରାମାଡ଼: ଦଶମ ଶ୍ରେଣୀ ଛାତ୍ର ଆହତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ପବ୍ଲିକ ସରକାରୀ ହାଇସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥା କଟାକଟିକୁ ନେଇ ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ପରେ ଉଗ୍ର ରୂପ ନେଇଥିଲା।
ଫଳରେ ଜଣେ ଛାତ୍ର ଉତ୍କ୍ଷିପ୍ତ ହୋଇ ଅନ୍ୟ ଜଣେ ଛାତ୍ରକୁ ଜ୍ୟାମିତି ବାକ୍ସରେ ଥିବା ଛୁରୀରେ ଆକ୍ରମଣ କରିଥିଲା। ଆକ୍ରମଣରେ ଆହତ ଛାତ୍ରଙ୍କ ବେକ ପଛପଟେ ଆଘାତ ଲାଗିଥିବା ବେଳେ ୫ଟି ସ୍ଟିଚ୍ ପଡ଼ିଛି।
ଘଟଣା ସ୍ଥଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପହଞ୍ଚି ଆହତ ଛାତ୍ରଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ବର୍ତ୍ତମାନ ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଆକ୍ରମଣକାରୀ ଛାତ୍ରକୁ ଅଫିସ ରୁମ୍କୁ ଡାକି ପଚରା ଉଚରା କରୁଛନ୍ତି। ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଏବଂ ଦୋଷୀ ଛାତ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
