FeaturedLatestNews

ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଚାରଧାମ ଯାତ୍ରା ୨ ଦିନ ପାଇଁ ସ୍ଥଗିତ

ନୂଆଦିଲ୍ଲୀ (ସଂକେତ ଟିଭି): ଉତ୍ତରାଖଣ୍ଡରେ ଚାଲିଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମଙ୍ଗଳବାର ଓ ବୁଧବାର ଯାତ୍ରା ବନ୍ଦ ରହିବ ବୋଲି ଅଧିକାରୀମାନେ ଘୋଷଣା କରିଛନ୍ତି।

ଚାରଧାମ ଯାତ୍ରା ମାର୍ଗରେ ଅନେକ ସ୍ଥାନରେ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ରାସ୍ତା ବନ୍ଦ ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଆଲର୍ଟ ଜାରି କରାଯାଇଛି ଏବଂ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଓ ଆସନ୍ତାକାଲି ପାଇଁ ଯାତ୍ରା ସ୍ଥଗିତ ରଖାଯାଇଛି। ପାଣିପାଗ ଠିକ୍ ରହିଲେ ଯାତ୍ରା ପୁନରାରମ୍ଭ ହେବ ବୋଲି ଜଣାପଡ଼ିଛି।

ଚାରଧାମ ଯାତ୍ରା ସାଧାରଣତଃ ହରିଦ୍ବାର କିମ୍ବା ଋଷିକେଶରୁ ଆରମ୍ଭ ହୋଇଥାଏ। ଏହି ଯାତ୍ରା ବେଳେ ଶ୍ରଦ୍ଧାଳୁମାନେ ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଯାଇ ଦର୍ଶନ କରିଥାନ୍ତି। ମୁଖ୍ୟତଃ ମଇ-ଜୁନରୁ ନଭେମ୍ବର ଯାଏଁ ଯାତ୍ରା ଖୋଲା ରହିଥାଏ ଏବଂ ଶୀତଦିନେ ବରଫ ପଡ଼ିବାରୁ ବନ୍ଦ ରହିଥାଏ।

ଗଙ୍ଗୋତ୍ରୀ, କେଦାରନାଥ, ବଦ୍ରିନାଥ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା ରହିଛି। ଏଣୁ ଆଲର୍ଟ ଜାରି କରାଯାଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଫ୍ଲାସଫ୍ଲଡ୍ ଆଶଙ୍କା କରାଯାଉଛି।

ଉତ୍ତରାଖଣ୍ଡର ଅଲମୋଡା, ବାଗେଶ୍ବର, ଚମୋଲି, ଡେରାଡୁନ, ନୈନିତାଲ, ପିଥୋରାଗଢ଼, ରୁଦ୍ରପ୍ରୟାଗ ଓ ଉତ୍ତରକାଶୀ ଜିଲ୍ଲା ସତର୍କ ସୂଚନାରେ ରହିଛି। ଏହାସହ ଜମ୍ମୁ-କଶ୍ମୀରର ଡୋଡା, କିସ୍ତୱାଡ଼, ଉଦ୍ଧମପୁର ଓ ଶାମ୍ବା ଜିଲ୍ଲା ଏବଂ ହିମାଚଳ ପ୍ରଦେଶର ଚମ୍ବା, କାଙ୍ଗଡ଼ା, କୁଲ୍ଲୁ, ମଣ୍ଡି, ଶିମଲା, ସିରମୋର ଓ ସୋଲନ ଜିଲ୍ଲା ମଧ୍ୟ ସତର୍କ ସୂଚନାରେ ରହିଛି।