FeaturedNews

ରାଜ୍ୟରେ ପ୍ରବଳ ବର୍ଷା ଜାରି, ନଦୀ ଜଳସ୍ତର ବୃଦ୍ଧି, ସ୍ଥାନାନ୍ତର ଆରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହି ଅତିବୃଷ୍ଟି ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାର ବନ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତର କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ମୌସୁମୀ ସମୟରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଥାଏ। ତେଣୁ ଓଡ଼ିଶା ପାଇଁ ବନ୍ୟା ନୂଆ ନୁହେଁ। ବନ୍ୟା ଆସିଲେ ନୁହେଁ, ବର୍ଷ ତମାମ ଆମେ ବନ୍ୟା ପାଇଁ ପ୍ରସ୍ତୁତ ଥାଉ।” ସେ ଆହୁରି କହିଛନ୍ତି ଯେ ୯ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଥିଲା, ଏବଂ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ଦିଆଯାଇଥିଲା। ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ନଜିର ରହିଛି। ଜିଲ୍ଲାପାଳ, ପାଣିପାଗ କେନ୍ଦ୍ର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିରନ୍ତର ଯୋଗାଯୋଗରେ ରହିଛନ୍ତି।

ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ବର୍ଷା ହୋଇଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ହାରାହାରି ୪୭.୦୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ଅଧିକ।

ରାଜ୍ୟରେ ସର୍ବାଧିକ ୨୪୦ ମିଲିମିଟର ବର୍ଷା ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ରେକର୍ଡ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ୮ ଗୋଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି ୩୩ ବ୍ଲକ ଓ ଗୋଟିଏ ସହରାଞ୍ଚଳରେ ୧୦୦ ମିଲିମିଟରରୁ ଅଧିକ ବର୍ଷା, ଏବଂ ୮୬ ବ୍ଲକ ଓ ୩ଟି ସହରାଞ୍ଚଳରେ ୫୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି।

ଚଳିତ ମାସରେ ସର୍ବମୋଟ ୫୬୪.୮ ମିଲିମିଟର ବର୍ଷା ହୋଇଛି, ଯେତେବେଳେ ଏହି ସମୟରେ ସ୍ୱାଭାବିକ ବର୍ଷା ହାର ହେଉଛି ୩୦୫.୦୬ ମିଲିମିଟର। ଅର୍ଥାତ୍ ବିଗତ ୭ ଦିନ ମଧ୍ୟରେ ସ୍ୱାଭାବିକଠାରୁ ୮୪ ପ୍ରତିଶତ ଅଧିକ ବର୍ଷା ହୋଇଛି।

ମନ୍ତ୍ରୀ କହିଛନ୍ତି ଯେ ଉପର ମୁଣ୍ଡରେ ବର୍ଷା ହେଉଥିବା ବେଳେ ତଳ ମୁଣ୍ଡରେ ବର୍ଷା ନାହିଁ, ତେଣୁ ନଦୀଗୁଡ଼ିକର ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଉନାହିଁ। ହୀରାକୁଦରୁ ମାତ୍ର ୨ଟି ଗେଟ୍ ଦ୍ୱାରା ୬୩,୩୩୬ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ନରାଜ ନିକଟରେ ମହାନଦୀ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ଯାହା ଚିନ୍ତାର ବିଷୟ ନୁହେଁ ବୋଲି ସେ କହିଛନ୍ତି।

ବ୍ରାହ୍ମଣୀ, ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ମଥାନୀରେ ଜଳକା ନଦୀ ବିପଦ ସଙ୍କେତ ଟପିସାରିଛି। ଅନ୍ୟ ନଦୀଗୁଡ଼ିକ ବିପଦ ସଙ୍କେତ ଛୁଇଁଛନ୍ତି, କିନ୍ତୁ ଟପିନାହାନ୍ତି।

ସହରାଞ୍ଚଳର ବହୁତ ସ୍ଥାନରେ ଜଳ ପଶିଯାଇ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗାଁଗୁଡ଼ିକରେ ପାଣି ପଶିଛି। ଓଡ଼୍ରାଫ୍ ଟିମ୍ ମୁତୟନ ହୋଇ ଆବଶ୍ୟକତା ଥିବା ଅଞ୍ଚଳରୁ ଲୋକଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଛି ଏବଂ ଶୁଖିଲା ଖାଦ୍ୟ ମହଜୁଦ କରି ରଖାଯାଇଛି। ଶୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଯିବ। ଜଳ ପ୍ରବେଶ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥିବାରୁ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ଗୃହପାଳିତ ପଶୁଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସାପ କାମୁଡ଼ା ପାଇଁ ଆଣ୍ଟି-ଭେନମ୍ ପ୍ରସ୍ତୁତ କରି ରଖାଯାଇଛି। ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ନିରନ୍ତର ସମ୍ପର୍କରେ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି।