ଅଟକ ଛାତ୍ରଙ୍କୁ ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ (ସଂକେତ ଟିଭି): କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମସ୍ତ ରାଜ୍ୟରେ ଅଟକ ରଖାଯାଇଥିବା ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି।
ଅଦାଲତ ଆହୁରି କହିଛନ୍ତି ଯେ, ଦିଲ୍ଲୀର ଜନ୍ତର ମନ୍ତର ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନରେ ସାମିଲ ପ୍ରଦର୍ଶନକାରୀଙ୍କ ବିରୋଧରେ ପରବର୍ତ୍ତୀ କୌଣସି କଠୋର ପଦକ୍ଷେପ ନିଆଯିବ ନାହିଁ। ତେବେ ଅପରାଧିକ ଇତିହାସ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସୁରକ୍ଷା ଲାଗୁ ହେବ ନାହିଁ।
ପୋଲିସ ଅତ୍ୟାଚାର ସମ୍ପର୍କିତ ଅଭିଯୋଗରେ ପ୍ରାଥମିକ ଭାବେ ସତ୍ୟତା ଥିବା ଦର୍ଶାଇ କୋର୍ଟ ଏକ ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରିବା ପ୍ରସ୍ତାବ ରଖିଛନ୍ତି।
ଏହି ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର, ଦିଲ୍ଲୀ ପୋଲିସ ଓ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସେମାନଙ୍କ ପକ୍ଷ ଉପସ୍ଥାପନ କରିବାର ସୁଯୋଗ ଦିଆଯାଇଥିଲା। ଏହି କ୍ରମରେ ଦିଲ୍ଲୀ, ମହାରାଷ୍ଟ୍ର, ବିହାର, କେରଳ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ ଜାରି କରାଯାଇଛି।
ଆନ୍ଦୋଳନ ସମୟର ସମସ୍ତ CCTV ଫୁଟେଜ୍, ଡ୍ରୋନ୍ ଭିଡିଓ, ୱାୟାରଲେସ୍ ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣ ସଂରକ୍ଷଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପ୍ରଦର୍ଶନକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ଶୁଣାଣି ବେଳେ ପେଲେଟ୍ ଗନ୍, ରବର ବୁଲେଟ୍, ବିଦ୍ୟୁତ ବାଟନ୍ ଓ କଣ୍ଟା ଲାଗିଥିବା ଲାଠି ବ୍ୟବହାର ଅଭିଯୋଗ ସହ ଛାତ୍ରଛାତ୍ରୀଙ୍କ ଆହତ ଘଟଣା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ସାଧା ପୋଷାକରେ ପୋଲିସ ମୁତୟନ ନେଇ ଥିବା ଅଭିଯୋଗ ମଧ୍ୟ ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ, ସଲିସିଟର ଜେନେରାଲ୍ ତୁଷାର ମେହେତା କୋର୍ଟଙ୍କୁ କହିଛନ୍ତି ଯେ, କିଛି ଅପରାଧୀ ଆନ୍ଦୋଳନରେ ମିଶି ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହାର ଉତ୍ତରରେ କୋର୍ଟ କହିଛନ୍ତି, ଗଣତନ୍ତ୍ରରେ ଆନ୍ଦୋଳନ ସ୍ୱାଭାବିକ ଘଟଣା ଏବଂ ଭବିଷ୍ୟତରେ ଏଭଳି ପରିସ୍ଥିତି ପାଇଁ ନୂତନ ପ୍ରୋଟୋକଲ୍ ଓ ବ୍ୟବସ୍ଥା ଆବଶ୍ୟକ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ।
