CrimeFeaturedLatestNews

ବିବାହ ଭୋଜିରେ ମଟନ ନ ମିଳିବାରୁ କ୍ୟାଟେରିଂ ଯୁବକଙ୍କ ବେକ କାଟିଦେଲେ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଅଠାନ୍ତର ଗାଁରେ ଏକ ବିବାହ ଭୋଜିରୁ ଉଠିଲା ଅଭାବନୀୟ ଓ ସାଂଘାତିକ ଘଟଣା। ଗତ ୨୪ ତାରିଖ ଦିନ ରାତି ପ୍ରାୟ ୧୦ ଟା ସମୟରେ ଏହି ଘଟଣା ଘଟିଛି। ବିବାହ ଭୋଜିରେ ଛେଳି ମାଂସ (ମଟନ) ବଦଳରେ କୁକୁଡ଼ା ମାଂସ ପରଷାଯାଇଥିଲା। ଏହି କାରଣରୁ ଜଣେ କ୍ୟାଟେରିଂ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି।

ଭୋଜି ସରିବା ପରେ ଯୁବକ ଜଣକ ଘରକୁ ଫେରୁଥିବା ବେଳେ ୪ ଜଣ ନାବାଳକ ତାଙ୍କୁ ପଛରୁ ଗୋଡ଼ାଇ ଆଣି ତେଲେଙ୍ଗା କଟୁରୀରେ ବେକ ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ବାଲେଶ୍ୱରସ୍ଥିତ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଘଟଣା ପରେ ରେମୁଣା ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ୪ ଜଣ ନାବାଳକଙ୍କୁ ଗିରଫ କରି ସୁଧାର ଗୃହକୁ ପଠାଇଛି। ରାଜେଶଙ୍କ ଦାଦା ସୀତାରାମ ପଣ୍ଡାଙ୍କ ଅଭିଯୋଗ ମୂଳେ ପୁଲିସ ୧୩୩/୨୬ ନମ୍ବରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୧୧୫(୨), ୧୧୮(୧), ୨୯୬, ୩୫୧(୩), ୧୦୯ (ହତ୍ଯା ଉଦ୍ୟମ) ଏବଂ ୩(୫) ଧାରାରେ ମାମଲା ରୁଜୁ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ଓ ଆବଶ୍ୟକ ସ୍ଥଳେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।