ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ
ପୁରୀ(ସଂକେତ ଟିଭି): ଆସନ୍ତା ସୋମବାର ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଅର୍ଥାତ୍ ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ନାନ ଯାତ୍ରା ପାଇଁ ଶନିବାର ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଓ ସୁରକ୍ଷା ନେଇ ବିସ୍ତୃତ ନିୟମ ପ୍ରକାଶ କରାଯାଇଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ପୁରୀ ଏସପି ପ୍ରତୀକ ସିଂହଙ୍କ କହିବା ଅନୁଯାୟୀ, ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିବ। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ଟ୍ରାଫିକ୍ ରୁଟ୍ ଅନୁଯାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି।
- ଭୁବନେଶ୍ୱରରୁ ଆସୁଥିବା ଗାଡ଼ି ପାଇଁ ମାର୍କେଟ ଛକରେ ପାର୍କିଂ ବ୍ୟବସ୍ଥା
- ସମୁଦ୍ର କୂଳ ଯିବାକୁ ହେଲେ ଦିଗବାରେଣୀ ନିକଟରେ ଗାଡ଼ି ପାର୍କିଂ
- ପୁରୀକୁ ଆସୁଥିବା ସମସ୍ତ ବସ୍ ମାଳତୀପାଟପୁରରେ ରହଣୀ ବ୍ୟବସ୍ଥା
- ଶରଧାବାଲିରେ ସିଟି ବସ୍ ଓ ତାଳବଣିଆରେ ଟୁରିଷ୍ଟ ବସ୍ ରହିବ
- ସିଟି ରୋଡରେ କୌଣସି ବସ୍ ଚଳାଚଳ ପାଇଁ ଅନୁମତି ନାହିଁ
ସ୍ନାନଯାତ୍ରାର ସୁରକ୍ଷା ଦୃଷ୍ଟିରୁ ପୁରୀ ସହରରେ ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ସିସିଟିଭି ନଜରରେ ପୁରା ସହର
- ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି ଲଗାଯାଇଛି
- ଶ୍ରୀମନ୍ଦିର ବାହାରେ ୨୫୦ଟି ସିସିଟିଭି ଲଗାଯାଇଛି
- ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩୦ଟି ସିସିଟିଭି ଲଗାଯାଇଛି
- ସିସିଟିଭି ନଜରରେ ରହିବ ବଡଦାଣ୍ଡ ଓ ଶ୍ରୀମନ୍ଦିର
ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ରହିବ। ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ୍ ଦର୍ଶନଧାରୀମାନେ ପ୍ରବେଶ କରିବେ। ପୁରୀ ପୁଲିସ ପକ୍ଷରୁ ଗାଡ଼ି ପାର୍କିଂ ନେଇ ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି।
