CrimeFeaturedLatestNews

ପ୍ରବଚକ ଶରଣାରବିନ୍ଦ ଓଝା ଗିରଫ: ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର (ସଂକେତ ଟିଭି): ବାୟା ବାବାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି କରିବା ନାମରେ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ଜଣାଶୁଣା ପ୍ରବଚକ ଶରଣାରବିନ୍ଦ ଓଝାଙ୍କୁ ସୋମବାର ଗିରଫ କରିଛି।

ଅଭିଯୋଗକାରିଣୀ ସାଗରିକା ଦାସ (୮୦) ଜଣେ ଅବସରପ୍ରାପ୍ତ ଡାକ୍ତର। ସେ ସମ୍ପ୍ରତି ସନ୍ୟାସ ଆଶ୍ରମ ଗ୍ରହଣ କରି ସନ୍ୟାସିନୀ ସାରିକା ଭାବେ ପରିଚିତ। ବାୟା ବାବାଙ୍କ ସମ୍ପର୍କରେ ଏକ ଡକ୍ୟୁମେଣ୍ଟାରି କରିବାକୁ ସେ ଚାହିଁଥିଲେ। ଶରଣାରବିନ୍ଦ ଓଝାଙ୍କୁ ସେ ପୂର୍ବରୁ ଜାଣିନଥିଲେ, ହେଲେ ତାଙ୍କ କହିବା ଶୈଳୀ ଓ ଟେଲିଭିଜନରେ ପ୍ରବଚନ ଦେଖି ପ୍ରଭାବିତ ହୋଇଥିଲେ।

ଏହି ପ୍ରସଙ୍ଗକୁ ନେଇ ଶରଣାରବିନ୍ଦଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଆଲୋଚନା ପରେ ସେ ପ୍ରକଳ୍ପ କରିବାକୁ ସହମତି ଦେଇଥିଲେ ଏବଂ ଏଥିପାଇଁ ୧୫-୧୬ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସାଗରିକା ନିଜ ବ୍ୟାଙ୍କରୁ ଶରଣାରବିନ୍ଦଙ୍କୁ ୧୧ ଲକ୍ଷ ଟଙ୍କା ପଠାଇଥିଲେ।

ଟଙ୍କା ନେବା ପରେ ଶରଣାରବିନ୍ଦ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିବା ଦୂରର କଥା, ସେ ଆଉ ଧରାଛୁଆଁ ଦେଇନଥିଲେ। ଡକ୍ୟୁମେଣ୍ଟାରିର ନିର୍ଦ୍ଦେଶକ ଭାରତୀକୃଷ୍ଣ ତାଙ୍କୁ ଠକେଇରେ ପଡ଼ିଯିବେ ବୋଲି ସତର୍କ ମଧ୍ୟ କରାଇଥିଲେ। ଏହା ସତ୍ତ୍ୱେ ସେ ଶରଣାରବିନ୍ଦ ନିର୍ଦ୍ଧାରିତ ସମୟ ମଧ୍ୟରେ ଡକ୍ୟୁମେଣ୍ଟାରି ଉପରେ କାମ କରିବେ ବୋଲି ଆଶା ରଖିଥିଲେ।

କିନ୍ତୁ ସମୟ ଅତିକ୍ରାନ୍ତ ହୋଇଯିବାରୁ ସେ ବାଧ୍ୟ ହୋଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସର୍ଜମିନ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଠକେଇ ନେଇ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୋଲିସ ଶରଣାରବିନ୍ଦଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *