ଶିମିଳିପାଳ ଅଭୟାରଣ୍ୟରେ ୪ ଶିକାରୀ ଗିରଫ, ଜବତ ହେଲା ୨ ଦେଶୀ ବନ୍ଧୁକ
ବାରିପଦା (ସଂକେତ ଟିଭି): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ବେଆଇନ ଭାବେ ପ୍ରବେଶ କରୁଥିବା ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଜେଲ ପଠାଇଛି। ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଓ ବନ ବିଭାଗର ମିଳିତ ଚଢ଼ାଉ ଦ୍ୱାରା ଏହି ସଫଳତା ମିଳିଛି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଉପନିର୍ଦ୍ଦେଶକ ସୁମିତ କୁମାର କରଙ୍କ ସୂଚନା ଅନୁସାରେ, ଶିକାରୀମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରୁଥିବା ବେଳେ ଜଙ୍ଗଲରେ ଲଗାଯାଇଥିବା ଟ୍ରେଲଗାର୍ଡ ଏଆଇ (TrailGuard AI) କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଥିଲା। କ୍ୟାମେରା ଆଲର୍ଟ ପାଇବା ମାତ୍ରେ ବନ ବିଭାଗର ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ୪ ଜଣଙ୍କୁ କାବୁ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ: କପ୍ତିପଦା ଥାନା ଅନ୍ତର୍ଗତ ପୋଡ଼ାଡ଼ିହା ଅଞ୍ଚଳର ବଡ଼ଜୁଣପାଳ ଗ୍ରାମର ଫାଗୁରାମ ଟୁଡୁ (୨୩), ରାମଚନ୍ଦ୍ର କିସ୍କୁ (୫୬), ରଞ୍ଜନ କିସ୍କୁ (୨୬) ଓ ସାନ୍ଜୁଣପାଳ ଗ୍ରାମର ବିଶ୍ୱନାଥ ହାଁସଦା (୬୫)। ଏହି ଘଟଣାରେ ପୋଡ଼ାଡ଼ିହା ବନ୍ୟପ୍ରାଣୀ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି। କୋର୍ଟରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି।
ଶିକାରୀମାନଙ୍କ ନିକଟରୁ ୨ଟି ହାତତିଆରି ବନ୍ଧୁକ, ବନ୍ଧୁକ ବାରୁଦ, ୨ଟି ହେଡ୍ ଟର୍ଚ୍ଚ, କିଛି ମରଣାସ୍ତ୍ର ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି। ବନ ବିଭାଗର ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବନ୍ୟଜନ୍ତୁ ଶିକାରକୁ ରୋକାଯାଇପାରିଛି। ଅଧିକ ତଦନ୍ତ ଜାରି ରହିଥିବା ଉପନିର୍ଦ୍ଦେଶକ ସୁମିତ କୁମାର କର ସୂଚନା ଦେଇଛନ୍ତି।
