BusinessFeaturedLatestNews

ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ଓ ଏଆଇ ପାର୍କ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ HCLTech ଓ ‘ସର୍ଭମ AI’ ସହିତ ଆଜି ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୭୩୦ କୋଟି ପୁଞ୍ଜିନିବେଶରେ ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI Park’ । ୫ ବର୍ଷରେ ନିବେଶ ହେବ ୧୫ ହଜାର କୋଟି ଟଙ୍କା । ଆଉ ଏଥିରେ ସିଧାସଳଖ ୬,୦୦୦ରୁ ଊର୍ଦ୍ଧ୍ୱ ଯୋଗ୍ୟ ଯୁବକ-ଯୁବତୀ ନିଯୁକ୍ତି ପାଇବେ । ବିଶ୍ୱର ଯେକୌଣସି ଟେକ୍ନୋଲୋଜି ସହ ସ୍ୱଦେଶୀ AI ସର୍ଭମ ସମକକ୍ଷ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ନୀତି ଆୟୋଗ ତାଲିକାରେ ଟପ୍-୩ରେ ପହଞ୍ଚିବା ଓଡିଶାର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଲୋକସେବା ଭବନର କନଭେନସନ ସେଣ୍ଟରରେ ‘HCLTech’ ଓ ଦେଶର ସ୍ୱଦେଶୀ AI ସଂସ୍ଥା ‘ସର୍ଭମ AI’ ସହିତ ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରେ ଟେକ୍ନୋଲୋଜି-ଭିତ୍ତିକ ଆର୍ଥିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହେବ । ଏହା ସହ ରାଜ୍ୟର ହଜାର ହଜାର ଉଚ୍ଚଶିକ୍ଷିତ ଓ କୁଶଳୀ ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

HCLTech ଓଡ଼ିଶାରେ ନିଜର ଏକ ଡେଭେଲପମେଣ୍ଟ ସେଣ୍ଟର’ ପ୍ରତିଷ୍ଠା କରିବାକୁ ଯାଉଛି । ଯାହା ରାଜ୍ୟର IT ଇକୋସିଷ୍ଟମକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ଦେବ । ଏହି ସଂସ୍ଥାର ନାମ ହେଉଛି HCLTech ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର । ଏଥିସହିତ HCLTech ଏବଂ ‘ସର୍ଭମ AI’ର ମିଳିତ ସହଯୋଗରେ ଓଡ଼ିଶାରେ ଏକ ‘AI – ଅପ୍ଟିମାଇଜ ଡାଟା ସେଣ୍ଟର’ ମଧ୍ୟ ପ୍ରତିଷ୍ଠା କରାଯିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡି଼ଶାରେ ଏକ ସୋଭରେନ୍ ବା ସମ୍ପୂର୍ଣ୍ଣ ସ୍ୱଦେଶୀ AI Park ପ୍ରତିଷ୍ଠା କରାଯିବ । ଏହି ଡାଟା ସେଣ୍ଟର ଉକ୍ତ AI Park ମଧ୍ୟରେ ପ୍ରତିଷ୍ଠିତ ହେବ । HCL ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ପାଇଁ ପ୍ରାୟ ୭୩୦ କୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି । ଯାହା ରାଜ୍ୟର ଡିଜିଟାଲ୍ ଇକୋସିଷ୍ଟମକୁ ବହୁତ ମଜବୁତ କରିବ । ଏହି ଗ୍ଲୋବାଲ୍ ଡେଲିଭରି ସେଣ୍ଟର ମାଧ୍ୟମରେ ଓଡ଼ିଶାର ୬,୦୦୦ ରୁ ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ-ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ । ଦୁଇଟି ପ୍ରକଳ୍ପରେ ଆସନ୍ତା ୫ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଟେକ୍-ରେଡି ହୋଇପାରିଛି । ଓଡ଼ିଶା ଏହି ନବସୃଜନର ଅଗ୍ରଣୀ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ପୂର୍ବରୁ ଆମେ ବିଦେଶୀ AI ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ଆମର ସ୍ୱଦେଶୀ AI ‘ସର୍ଭମ’, ବିଶ୍ୱର ଯେକୌଣସି ଟେକ୍ନୋଲୋଜି ସହ ସମକକ୍ଷ ହୋଇପାରିଛି । ଆଗାମୀ ଦିନରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଏହାର ବ୍ୟାପକ ବ୍ୟବହାର କରାଯିବ । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର କେବଳ ଖଣିଜ-କୈନ୍ଦ୍ରିକ ଶିଳ୍ପରେ ସୀମିତ ନରହି ସେମିକଣ୍ଡକ୍ଟର, AI, ଟେକ୍ସଟାଇଲ, ଫାର୍ମା ଓ ଆଇଟି ଭଳି ନୂତନ କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି ।

ସର୍ଭମ୍ ଏଆଇ ଓଡିଆ ସହିତ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ AI ପ୍ଲାଟଫର୍ମ ଓ AI ଆପ୍ଲିକେସନ୍‌ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଓଡିଶାରେ ଏହି AI Park ଓ ଡାଟା ସେଣ୍ଟର ପ୍ରତିଷ୍ଠା ହେବା ଫଳରେ ଓଡିଶାରୁ ହିଁ ଓଡିଆ ସହିତ ବିଭିନ୍ନ ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତାର ସେବା ଉପଲବ୍ଧ ହୋଇପାରିବ ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି । ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି । ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହୋଇଛି । ସମ୍ପ୍ରତି ନୀତି ଆୟୋଗଙ୍କ ନୂତନ ‘Investment Friendliness Index-2026’ ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଖୁବଶୀଘ୍ର ଟପ୍‌-୩ ରେ ପହଞ୍ଚିବା ଲକ୍ଷ୍ୟ ।

ନୂଆ ଶିଳ୍ପ ନୀତି, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଏବଂ ଲ୍ୟାଣ୍ଡ ବ୍ୟାଙ୍କ ବ୍ୟବସ୍ଥା ଯୋଗୁଁ ଚୁକ୍ତି ସ୍ୱାକ୍ଷରଠାରୁ ପ୍ରକଳ୍ପ ଆରମ୍ଭ ହେବା ସମୟ ସୀମାକୁ ୧୦୦ ଦିନରୁ କମ୍‌କୁ ହ୍ରାସ କରାଯାଇଛି । HCLTech, Sarvam AI ଏବଂ ସମସ୍ତ ନିବେଶକଙ୍କୁ ସମ୍ପୂର୍ଣ୍ଣ ସରକାରୀ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ବୁଝାମଣା ପତ୍ର ସ୍ଵାକ୍ଷର ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ, HCL ଚେୟାରପର୍ସନ୍ ରୋଶନୀ ନାଦର ମାଲହୋତ୍ରା,ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, HCLTech ର CEO ତଥା ମ୍ୟାନେଜିଂ ଡାଇରେକ୍ଟର ସି. ବିଜୟକୁମାର, ସର୍ଭମ AI ର CEO ପ୍ରତ୍ୟୁଷ କୁମାର, ଶିଳ୍ପ ଓ ଶିକ୍ଷା ଜଗତର ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରିକଗଣ ଉପସ୍ଥିତ ଥିଲେ ।