FeaturedLatestNews

ସାପ କାମୁଡ଼ିଲା, ଭୟ ନ କରି ସାପକୁ ଧରି ସାଇକେଲରେ ଡାକ୍ତରଖାନା ପହଞ୍ଚିଲେ ଯୁବକ

ବାରିପଦା (ସଂକେତ ଟିଭି): ବିଷାକ୍ତ ସାପ କାମୁଡ଼ିବା ପରେ ମଧ୍ୟ ଭୟଭୀତ ନହୋଇ, ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଜଣେ ଯୁବକ ସାପକୁ ଧରି ସିଧା ଚିକିତ୍ସା ପାଇଁ ପହଞ୍ଚିଥିଲେ। ଏହି ଘଟଣାଟି ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଘଟିଛି।

ବହଳଦା ଅଞ୍ଚଳର ମୋଚିରାମ ଟୁଡୁ ଉକ୍ତ କାର୍ଯ୍ୟାଳୟରେ ଜଗୁଆଳି ଭାବେ କାର୍ଯ୍ୟ କରନ୍ତି। ଗତକାଲି (ଶୁକ୍ରବାର) ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଡ୍ୟୁଟିରେ ଥିବା ବେଳେ ହଠାତ୍ ଏକ ସାପ ଆସି ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ପ୍ରଥମେ ସେ ସାପଟି କାମୁଡ଼ିଥିବା ଜାଣିପାରି ନଥିଲେ ଏବଂ ଏହାକୁ ଚିହ୍ନଟ ମଧ୍ୟ କରିପାରି ନଥିଲେ।

ସାପଟି ବିଷାକ୍ତ ବୋଲି ଅନୁମାନ ହେବାରୁ, ମୋଚିରାମ ସାହସ ଦେଖାଇ ସାପଟିକୁ ଧରି ଏକ ପଲିଥିନରେ ପୁରାଇଲେ। ଏହାପରେ ସେ ସେହି ସାପଟିକୁ ନେଇ ସାଇକେଲରେ ଚଢ଼ି ସିଧା ଚିକିତ୍ସା ପାଇଁ ଉଦଳା ଉପଖଣ୍ଡ ଡାକ୍ତରଖାନାକୁ ରାତିରେ ପହଞ୍ଚିଗଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଯାଇ ସାପଟି ଏକ ‘ବିଷାକ୍ତ ଚିତି ସାପ’ ବୋଲି ଚିହ୍ନଟ ହୋଇଥିଲା।

ତୁରନ୍ତ ଡାକ୍ତରମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବାରୁ, ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି।

ଉଦଳା ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ADMO ଡାକ୍ତର ଡି. ଜେନା ଏହି ଘଟଣାର ସତ୍ୟତା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ମୋଚିରାମଙ୍କୁ ତୁରନ୍ତ ଚିକିତ୍ସା ଦିଆଯାଇଥିଲା, କିନ୍ତୁ ରାତିରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ବାରିପଦା ପଠାଯାଇଛି। ଏହି ଘଟଣା ଜଗୁଆଳିଜଣକଙ୍କ ସାହସ ଓ ସଚେତନତାର ଏକ ଜ୍ୱଳନ୍ତ ଉଦାହରଣ।