କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ୧୧ ଏକର ଜବରଦଖଲ ଜମି ଉଚ୍ଛେଦ
ପୁରୀ ( ସଂକେତ ଟିଭି) : ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବଡ଼ଧରଣର ଜବରଦଖଲ ଉଚ୍ଛେଦ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ପ୍ରଶାସନ ପ୍ରାୟ ୧୧୦ କୋଟିରୁ ଅଧିକ ମୂଲ୍ୟର ୧୧ ଏକରରୁ ଅଧିକ ଜମିକୁ ନିଜ ଅଧିକାରକୁ ଆଣିଛନ୍ତି।
ସୂଚନାଥାଉକି, କୋଣାର୍କ ହେଲିପ୍ୟାଡ୍ ପଡ଼ିଆ ଓ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ପାର୍ଶ୍ୱରେ ଥିବା ଏସବୁ ଜମିକୁ ୧୯୮୯ ମସିହାରୁ କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ରଖିଥିଲେ। ତେବେ ମାମଲାରେ ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଗୋପ ତହସିଲଦାର ଜୟଦର୍ଥ ଆଚାର୍ଯ୍ୟ, କୋଣାର୍କ ଆର.ଆଇ. ଯଶୋବନ୍ତ ନାୟକ ଏବଂ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ସେଠାରେ ନାଲି ପତାକା ଲଗାଯାଇ ଏହାକୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣାଯାଇଥିବା ସ୍ପଷ୍ଟ କରାଯାଇଛି ଏବଂ ଏହି ୧୧ ଏକରରୁ ଅଧିକ ଜମି ସରକାରୀ ଖାତାକୁ ଫେରିପାରିଛି।
ତେବେ ଏସବୁ ଜମି ସରକାରୀ ଅଧିକାରକୁ ଆସିବା ଦ୍ୱାରା ଅଞ୍ଚଳର ବିକାଶ ପଥ ପରିଷ୍କାର ହୋଇଛି। ଜବରଦଖଲମୁକ୍ତ ହୋଇଥିବା ଏହି ବିରାଟ ପରିମାଣର ଜମି ଆଗାମୀ ଦିନରେ କୋଣାର୍କର ପର୍ଯ୍ୟଟନ ବିକାଶ ଏବଂ ସାଧାରଣ ଲୋକଙ୍କ ଜମି ସମସ୍ୟା ସମାଧାନରେ ବଡ଼ ଭୂମିକା ଗ୍ରହଣ କରିବା ନେଇ ଆଶା କରାଯାଉଛି।
ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ପ୍ରାୟ ୧୧ ଏକରର ବହୁମୂଲ୍ୟ ଜମି ଦୀର୍ଘ ଦିନର ବିବାଦ ପରେ ପୁଣି ସରକାରୀ ଖାତାକୁ ଫେରିଛି। ଏହି ଜମିକୁ ନେଇ କୋର୍ଟରେ ମାମଲା ଚାଲିଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ପ୍ରକ୍ରିୟାର ଅନ୍ତ ଘଟାଇ ପ୍ରଶାସନ ପକ୍ଷରୁ ଏହି ବହୁମୂଲ୍ୟ ସରକାରୀ ଜମିକୁ ସଫଳତାର ସହ ନିଜ ଅଧୀନକୁ ନିଆଯାଇଛି ଏବଂ ସରକାରୀ ରେକର୍ଡରେ ଏହାକୁ ସାମିଲ କରାଯାଇଛି। ରାଜସ୍ୱ ମନ୍ତ୍ରୀ କହିଛି ଯେତେ ପ୍ରଭାବଶାଳୀ ଲୋକ ହୁଅନ୍ତୁ ନା କାହିଁକି, ଯିଏ ବି ସରକାରୀ ଜମି ବେଆଇନ ଭାବରେ ମାଡ଼ି ବସିଥିବ ସରକାର ତାକୁ ଫେରାଇ ଆଣିବେ। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ବହୁତ ଜମି ଫେରିବ।
