ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଏନସିବି
ଭୁବନେଶ୍ୱର (ସଂକେତ ଟିଭି): ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଟିମ୍ ଦୁଇଟି ଗାଡ଼ିକୁ ଗୋଡ଼ାଇ ଧରିଛି। ବାଲେଶ୍ଵର ୧୬ ନମ୍ବର ଜାତୀୟ ରାଜପଥରେ ଚଢାଉ କରି NCB କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅନୁଗୁଳ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ଏହି ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିଲା। NCB ଟିମ୍ ଦୁଇ ନିଶା ମାଫିଆଙ୍କୁ କାବୁ କରି ଭୁବନେଶ୍ୱର ଆଣିଛି। ଅଭିଯୁକ୍ତଦ୍ୱୟଙ୍କୁ ଅଧିକ ପଚରାଉଚରା କରାଯାଉଛି। ଏନେଇ ଭୁବନେଶ୍ୱର NCB ପକ୍ଷରୁ NDPS ଆକ୍ଟରେ ମାମଲା ପଞ୍ଜୀକୃତ କରାଯାଇଛି। ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି।
ଭୁବନେଶ୍ୱର NCB ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଅଭିଯୁକ୍ତଦ୍ୱୟ ଦୁଇ କାରରେ ଗଞ୍ଜେଇ ନେଇ ଯାଉଥିଲେ। NCB ଟିମ୍ ଖବର ପାଇ ଚଢ଼ାଉ କରିବାକୁ ଯୋଜନା କରିଥିଲା। NCB ଟିମ୍ ଗାଡିଦ୍ୱୟକୁ ଟ୍ରାକ୍ କରି ପିଛା କରିଥିଲା। ଅଭିଯୁକ୍ତଦ୍ୱୟ ଦ୍ରୁତଗତିରେ କାର ଚଳାଇ ଫେରାର ହେବାକୁ ଚେଷ୍ଟା କରିଥିଲେ। NCB ଟିମ୍ ମଧ୍ୟ ସେମାନଙ୍କୁ ଦ୍ରୁତଗତିରେ ଗୋଡ଼ାଇଥିଲା।
ଶେଷରେ ବାଲେଶ୍ଵର ଖନ୍ତପଡ଼ା ନିକଟରେ NCB ଟିମ୍ ଦୁଇଟି ଗାଡିକୁ କାବୁ କରିବାରେ ସଫଳ ହୋଇଥିଲା। ଏହି ସମୟରେ ଅଭିଯୁକ୍ତଦ୍ୱୟ ଗାଡିରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ NCB ଟିମ୍ ସେମାନଙ୍କୁ ଘେରିଯାଇ କାବୁ କରିଥିଲା।
ଭୁବନେଶ୍ୱର କ୍ଷେତ୍ରୀୟ ନିର୍ଦ୍ଦେଶକ କୁନାଲ କୁମାର କହିଛନ୍ତି, “ଅଭିଯୁକ୍ତଦ୍ୱୟଙ୍କୁ ଅଧିକ ପଚରାଉଚରା ଚାଲୁ ରହିଛି। ଗଞ୍ଜେଇର ପ୍ରକୃତ ଓଜନ ଅଧିକ ହେବ। ଗଞ୍ଜେଇର ଓଜନ ପ୍ରକ୍ରିୟା ଏବଂ ଅଭିଯୁକ୍ତଙ୍କ ପରିଚୟ ବିଷୟରେ ଅଧିକ ଯାଞ୍ଚ ଚାଲିଛି। ଏହି ନେଟୱର୍କରେ ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ଏନେଇ ଆଗକୁ ଅଧିକ ସୂଚନା ଦିଆଯିବ।”
