ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ସୁଶାନ୍ତ ସିଂହଙ୍କ ପରଲୋକ ଘଟିଛି । ମୋଟର ନ୍ୟୁରନ ରୋଗରେ ପୀଡ଼ିତ ଥିବା ୫୩ ବର୍ଷୀୟ ସୁଶାନ୍ତ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ରବିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା, ଯାହାକୁ ନେଇ ଡାକ୍ତରମାନେ ଜୀବନ ରକ୍ଷା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ତାଙ୍କୁ ବଞ୍ଚାଇ ପାରିନଥିଲେ ।
ସୁଶାନ୍ତ ସିଂହ ଭଟଲି ବିଧାନସଭା ଆସନରୁ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଲଗାତାର ତିନି ଥର ବିଜୟୀ ହୋଇଥିଲେ । ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଶ୍ରମ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୨୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଭାବରେ ଲଢ଼ିଥିଲେ, ମାତ୍ର ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ନିକଟରେ ୨୭,୮୯୨ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।
ସୁଶାନ୍ତଙ୍କ ଦେହାନ୍ତ ଖବର ପ୍ରଚାର ହେବା ପରେ ହସ୍ପିଟାଲରେ ସମର୍ଥକ, ଦଳୀୟ ନେତା ଓ ସହଯୋଗୀଙ୍କ ଭିଡ଼ ଜମିଥିଲା । ତାଙ୍କ ମର ଶରୀରକୁ ଶେଷ ଦର୍ଶନ ପାଇଁ ଓଡ଼ିଶା ବିଧାନସଭାକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିବା ବେଳେ ବାଚସ୍ପତିଙ୍କ ଅନୁପସ୍ଥିତିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶେଷ ସମ୍ମାନ ଜଣାଇଥିଲେ । ପରେ ତାଙ୍କ ଶବକୁ ଶଙ୍ଖ ଭବନକୁ ନିଆଯାଇଥିଲା, ଯେଉଁଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସୁଶାନ୍ତଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଶେଷକରି ପଶ୍ଚିମ ଓଡ଼ିଶା ଜଣେ ଟାଣୁଆ ଜନନେତାଙ୍କୁ ହରାଇଥିବା ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବର୍ତ୍ତମାନର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି, “ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା ।” ସେହିପରି ସୁରେଶ ପୂଜାରୀ ମତ ଦେଇଛନ୍ତି, “ବିରୋଧୀ ହୋଇଥିଲେ ମଧ୍ୟ ୨୫ ବର୍ଷର ସମ୍ପର୍କ ନିବିଡ଼ ଥିଲା । ପଶ୍ଚିମ ଓଡ଼ିଶା ଜଣେ ଟାଣୁଆ ନେତାଙ୍କୁ ହରାଇଛି ।”
୧୭ ମାର୍ଚ୍ଚ ୧୯୭୩ରେ ଜନ୍ମିତ ସୁଶାନ୍ତ ସିଂହ ଜଣେ ସଚ୍ଚୋଟ, ସତ୍ୟନିଷ୍ଠ ଓ ପରୋପକାରୀ ନେତା ଭାବରେ ପରିଚିତ ଥିଲେ । କୋଭିଡ଼ କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିବା ପାଇଁ ସେ ବେଶ ପରିଚିତ ଥିଲେ । ତାଙ୍କ ଘର କବାଟ ସର୍ବଦା ଲୋକଙ୍କ ପାଇଁ ଖୋଲା ରହୁଥିଲା ବୋଲି ତାଙ୍କ ସହଯୋଗୀମାନେ ସ୍ମୃତି ଚାରଣ କରୁଛନ୍ତି । ତାଙ୍କ ଅକାଳ ବିୟୋଗରେ ବିଜେଡି ଏକ ଅପ୍ରତୀନ୍ଦ୍ଵୀୟ ନେତାଙ୍କୁ ହରାଇଥିବା ବେଳେ ପଶ୍ଚିମ ଓଡ଼ିଶାର ଜନସାଧାରଣ ମଧ୍ୟ ଜଣେ ଭରସାଯୋଗ୍ୟ ମୁଖହରାଇଛନ୍ତି ।
