ଗୁରୁ ଦିବସରେ ରାଜଧାନୀରେ ଶିକ୍ଷକ ମହାସମାବେଶ, ୪ ଦଫା ଦାବିରେ ଗୁରୁ ଗର୍ଜନ
ଭୁବନେଶ୍ୱର (ସଂକେତ ଟିଭି):ରାଜଧାନୀ ଭୁବନେଶ୍ୱରରେ ଗୁରୁ ଦିବସ ଅବସରରେ ଶିକ୍ଷକ ଓ ଅଧ୍ୟାପକମାନଙ୍କ ଦ୍ୱାରା ଏକ ବୃହତ୍ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ପଟେ ସାରା ଦେଶ ଶିକ୍ଷକ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍କୁଲ କମିଟି ସଦସ୍ୟମାନେ ସମାବେଶିତ ହୋଇଥିଲେ ।
ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ ତଥା କର୍ମଚାରୀ ସମନ୍ବୟ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ସମାବେଶରେ ୪ ଦଫା ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ଦିନ ଧରି ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଦିନରାତି ଧାରଣାରେ ବସିଥିଲେ ମଧ୍ୟ ସରକାର ତାଙ୍କ ଦାବି ପ୍ରତି ନିରବ ରହିଥିଲେ । ଏହାକୁ ପ୍ରତିବାଦ କରି ଗୁରୁ ଦିବସରେ ଏହି ମହାସମାବେଶ କରାଯାଇଛି ।
ସମିତି ପକ୍ଷରୁ ଉପସ୍ଥାପିତ ମୁଖ୍ୟ ୪ ଦଫା ଦାବି ହେଲା –
୧. ନୂଆ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରି ସର୍ଭିସ୍ ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରାଯାଉ ।
୨. ଅନୁଦାନ ବ୍ୟବସ୍ଥାର ସମାଧାନ କରାଯାଉ ।
୩. ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ ।
୪. ଅବସର ନେଉଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଉ, ନଚେତ୍ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ଦେଖାଦେବ ।
ଏହି ଅବସରରେ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦୀର୍ଘ ୨୫ରୁ ୩୦ ବର୍ଷ ଧରି ଅନୁଦାନଯୋଗ୍ୟ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା ଅନେକ ଶିକ୍ଷକ ଓ କର୍ମଚାରୀ ଆର୍ଥିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ଏତଦ୍ବ୍ୟତୀତ, ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ଥାନରେ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନହେବାରୁ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ସଂକଟ ଗଭୀର ହେଉଥିବା ନେଇ ମଧ୍ୟ ସମିତି ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି ।
