ଶ୍ରୀମନ୍ଦିର ନକଲି ନିଯୁକ୍ତି ଠକେଇ, ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ଜାଲ୍
ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିରରେ ସ୍କ୍ୱାର୍ଡ ନିଯୁକ୍ତିରେ ବଡ଼ ଠକେଇ ଘଟଣା ସାମ୍ନାକୁ ଆସିଛି। ଅସାଧୁ ବ୍ୟକ୍ତିମାନେ ମୋଟା ଅଙ୍କର ଅର୍ଥ ନେଇ ନକଲି ନିଯୁକ୍ତି ପତ୍ର ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଦସ୍ତଖତ ଥିବା ଏକ ନକଲି ନିଯୁକ୍ତି ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇପଡ଼ିଛି।
ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଉଠିଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ତଦନ୍ତ ଆରମ୍ଭ କରିବା ସହ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏହି ନକଲି ଚିଠି ନେଇ ଶ୍ରୀମନ୍ଦିର ସେବାୟତମାନେ ଚିନ୍ତା ପ୍ରକଟ କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ୧୬ ଜଣଙ୍କୁ ଏହି ନକଲି ନିଯୁକ୍ତି ପତ୍ର ପଠାଯାଇଛି। ଚିଠିରେ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ, ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ଓ ଷ୍ଟାମ୍ପ ରହିଛି ଏବଂ ଗତ ଜୁଲାଇ ୩୧ ତାରିଖରେ ଏହା ଜାରି କରାଯାଇଥିବା ଉଲ୍ଲେଖ ରହିଛି। ସୁରକ୍ଷା ପ୍ରଶାସକ ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ ଏହି ନିଯୁକ୍ତି ପତ୍ର ସମ୍ପୂର୍ଣ୍ଣ ନକଲି ଏବଂ ଶ୍ରୀମନ୍ଦିର ପକ୍ଷରୁ କୌଣସି ନିଯୁକ୍ତି ବିଜ୍ଞପ୍ତି ବାହାରି ନାହିଁ। ଏଣୁ ସମସ୍ତ ଦିଗ ଅନୁଧ୍ୟାନ କରି ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
