FeaturedLatestNews

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ପାଢ଼ୀଙ୍କୁ ମିଳିଲା ଜାମିନ

କଟକ(ସଂକେତ ଟିଭି): ବହୁଚର୍ଚ୍ଚିତ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ବୁଧବାର କଟକ ସ୍ୱତନ୍ତ୍ର SC/ST କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗତ ମାସ ୧୪ ତାରିଖରେ ଗିରଫ ହୋଇଥିବା ପାଢ଼ୀଙ୍କୁ ଗିରଫ ହେବାର ମାତ୍ର ୩ ସପ୍ତାହ ଭିତରେ ଏହି ଜାମିନ ମିଳିଛି।

ଅଦାଲତ ଜାମିନ ସର୍ତ୍ତାବଳୀରେ କହିଛନ୍ତି ଯେ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ତଦନ୍ତରେ ସହଯୋଗ କରିବେ, ଓଡ଼ିଶା ଛାଡି ବାହାରକୁ ଯିବେ ନାହିଁ, ଆବଶ୍ୟକ ହେଲେ ତାଙ୍କର ପାସପୋର୍ଟ ଦାଖଲ କରିବେ। ବାହାରକୁ ଗଲେ କୋର୍ଟଙ୍କ ଅନୁମତିରେ ହିଁ ଯିବେ ଏବଂ ମାମଲାର ସାକ୍ଷୀ ଓ ବିଭାଗର ଅଧିକାରୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ପାଠ୍ୟପୁସ୍ତକରେ ଏକାଧିକ ତଥ୍ୟଗତ ଓ ବିଷୟବସ୍ତୁଗତ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ବିବାଦ ଦେଖାଦେଇଥିଲା। ଯାହାକୁ ନେଇ ସରକାର ଅକଳରେ ପଡ଼ିଥିଲେ ଏବଂ ରାଜ୍ୟ ଗଣଶିକ୍ଷା ବିଭାଗ ପ୍ରବଳ ଅସନ୍ତୋଷର ଶିକାର ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ।

ତଦନ୍ତ ଆରମ୍ଭ ହେବା ପରେ କ୍ରାଇମବ୍ରାଞ୍ଚ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲେ ମଧ୍ୟ ମାତ୍ର ୩ ସପ୍ତାହ ବ୍ୟବଧାନରେ ତାଙ୍କୁ ଜାମିନ ମିଳିଛି।

ଏହାକୁ ନେଇ ଅଭିଜ୍ଞ ଆଇନଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ଯଦି ମନୋଜ ପାଢ଼ୀଙ୍କ ଯୋଗୁଁ ରାଜକୋଷରୁ ୧୭୫ କୋଟି ଟଙ୍କାର ଘାଟା ହୋଇଛି, ତାହେଲେ ଏତେ ଶୀଘ୍ର ଜାମିନ ମିଳିଲା କିପରି ବୋଲି ପ୍ରଶ୍ନ ଉଠିଛି।

ଏହି ଘଟଣାକୁ ନେଇ ମନୋଜ ପାଢ଼ୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକ ନିଲମ୍ବିତ ହୋଇଛନ୍ତି। ପ୍ରାୟ ୭ ଜଣ ଅଭିଯୁକ୍ତଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ।

Leave a Reply

Your email address will not be published. Required fields are marked *