FeaturedLatestNews

ଜିଲ୍ଲା ଗସ୍ତ ରିପୋର୍ଟ ମାଗିଲେ ଉନ୍ନୟନ କମିଶନର, ସଚିବଙ୍କୁ କଠୋର ନିର୍ଦ୍ଦେଶ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେତେ ଦୂର ମାଟିରେ ପହଞ୍ଚିଛି, ତାହାର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିବାକୁ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସଚିବ ସ୍ତରୀୟ ବୈଠକରେ ସେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗତ ମାସ (ଜୁଲାଇ) ରେ କେଉଁ ସଚିବ କେଉଁ ଜିଲ୍ଲାକୁ ଗସ୍ତ କରିଥିଲେ, ସେଠାରେ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଅବସ୍ଥା କ’ଣ, ଏବଂ ଲୋକଙ୍କ ନିକଟରେ ଯୋଜନାର ପହଞ୍ଚ କେତେ ଦୂର, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଉନ୍ନୟନ କମିଶନର। ଯୋଜନା ଓ କାର୍ଯ୍ୟକ୍ରମର ତଦାରଖ ଏବଂ କାର୍ଯ୍ୟନ୍ୱୟନ ଉପରେ ନଜର ରଖିବା ପାଇଁ ଏହି ଗସ୍ତ ରିପୋର୍ଟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ସୂଚନା ଅନୁସାରେ, ଜୁଲାଇ ମାସରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ପାଇଁ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ପୂର୍ବରୁ ଜିଲ୍ଲା ଆବଣ୍ଟନ କରାଯାଇଥିଲା। ସେମାନେ ସେହି ଅନୁଯାୟୀ ଗସ୍ତ କରି ସ୍ଥଳସ୍ତରରେ ଯୋଜନାଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଏବେ ଉନ୍ନୟନ କମିଶନର ଏହି ସମସ୍ତ ଗସ୍ତର ଲିଖିତ ବିବରଣୀ ମାଗିଛନ୍ତି, ଯାହା ଦ୍ୱାରା ସରକାରୀ ଯୋଜନାର ଗ୍ରାଉଣ୍ଡ ରିପୋର୍ଟ ଆସିପାରିବ ଏବଂ ଭବିଷ୍ୟତର ନିଷ୍ପତ୍ତି ନେବାରେ ସହାୟକ ହେବ।