FeaturedLatestNews

ବ୍ଲୁ-ଲେକ୍ ବୁଡ଼ି ଘଟଣା: ୨୪ ଘଣ୍ଟା ପରେ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ନିକଟସ୍ଥ ‘ବ୍ଲୁ-ଲେକ୍’ ରେ ଘଟିଥିବା ବୁଡ଼ି ଘଟଣାରେ ଦୁଇ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଗତକାଲି (ଶନିବାର) ବୁଲିବାକୁ ଆସି ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିବା ଫକୀର ମୋହନ କଲେଜର ଦୁଇ ଛାତ୍ରଙ୍କୁ ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇପାରିଛି।

ସୂଚନା ଅନୁଯାୟୀ, ଶନିବାର ତିନି ଜଣ କଲେଜ ଛାତ୍ର ମିତ୍ରପୁରସ୍ଥିତ ‘ବ୍ଲୁ-ଲେକ୍’ ବୁଲିବାକୁ ଆସିଥିଲେ। ସେମାନେ ରିଲ୍ସ କରୁଥିବା ସମୟରେ ଗଛ ଉପରୁ ପାଣିକୁ ଡିଆଁ ମାରୁଥିଲେ। କିନ୍ତୁ ସେମାନେ ଜାଣିନଥିଲେ ଯେ ଏହା ଏକ ପରିତ୍ୟକ୍ତ ଖାଦାନ, ଯେଉଁଠାରେ ପାଣିର ଗଭୀରତା ପ୍ରାୟ ୨୦୦ ଫୁଟ୍। ଏହି ଅସାବଧାନତାର ଶିକାର ହୋଇ ଭଦ୍ରକର ଅଂଶୁମାନ ପାତ୍ର ଓ ବାରିପଦାର ଭବିଷ୍ୟ ପାତ୍ର ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ସହଯାତ୍ରୀ ରେମୁଣା କଲେଜର ରୋଶନ ନାୟକ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ।

ଖବର ପାଇ ନୀଳଗିରି ପୋଲିସ, ଦମକଳ ବାହିନୀ, ଓଡ୍ରାଫ୍ (ODRAF) ଏବଂ ସ୍କୁବା ଡାଇଭିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମିଳିତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ପାଣି ଅତ୍ୟନ୍ତ ଗଭୀର ଓ ପଥୁରିଆ ଥିବାରୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଥିଲା। ଦୀର୍ଘ ୨୪ ଘଣ୍ଟାର ନିରବଚ୍ଛିନ୍ନ ଅପରେସନ ପରେ ସ୍କୁବା ଡାଇଭର୍ସଙ୍କ ସହାୟତାରେ ପ୍ରଥମେ ଅଂଶୁମାନ ପାତ୍ରଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଥିବା ଦେଖାଯାଇଥିଲା। ପରେ କିଛି ସମୟ ମଧ୍ୟରେ ଭବିଷ୍ୟ ପାତ୍ରଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିଲା।

ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ଉଭୟ ପରିବାର ଲୋକଙ୍କ କାନ୍ଦବୋବାଳି ଏବଂ ହାହାକାରରେ ପରିବେଶ ଫାଟି ପଡ଼ିଥିଲା। ପୁଅମାନଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଉଭୟ ଛାତ୍ର ଫକୀର ମୋହନ କଲେଜରେ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।

Leave a Reply

Your email address will not be published. Required fields are marked *