CulturalFeaturedLatestNews

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ୭ ଦିନିଆ ଝୁଲଣ ଯାତ୍ରା

ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ । ଶ୍ରାବଣ ଶୁକ୍ଳ ଦଶମୀଠାରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ ।

ସମଗ୍ର ମୁକ୍ତି ମଣ୍ଡପକୁ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା କାର୍ଯ୍ୟରେ କାଠ ନିର୍ମିତ ଝୁଲା ସଜାଯାଇ ଏକ କୁଞ୍ଜ ନିର୍ମାଣ କରାଯିବ । ଏହି କୁଞ୍ଜକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯିବା ସହ କୁଞ୍ଜରେ ମଦନ ମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ବିଜେ କରାଇବାର ପରମ୍ପରା ରହିଛି । ମଣ୍ଡପ ତଳେ ଭୀମ, ଅର୍ଜୁନଙ୍କ ଶୋଭା ମଣ୍ଡନ କରାଯିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୋଇଥାଏ । ଝୁଲଣ କୁଞ୍ଜରେ ବିଭିନ୍ନ ପକ୍ଷୀଙ୍କ ବିରାଜମାନ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ ।

ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ସମେତ ଶ୍ରୀକ୍ଷେତ୍ରରେ ଥିବା ଅନେକ ଛୋଟ ବଡ଼ ମଠରେ ଏହି ଝୁଲଣ ଯାତ୍ରାକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଏହି ଅବସରରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛନ୍ଦ ଓ ପୂରାତନ ଝୁଲଣର ରାସ ଗୀତ ପରିବେଷଣ କରାଯାଇଥାଏ ।

ଜଗନ୍ନାଥ ବଲ୍ଲଭ ମଠରେ ଚଳିତ ବର୍ଷ ଅନେକ ନୂଆ ସାଜ ତିଆରି ହୋଇଛି । ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣଙ୍କ ଲୀଳା ଓ ପ୍ରକୃତିର ରଙ୍ଗ ରୂପକୁ ନେଇ ବିଶେଷ ପ୍ରସ୍ତୁତି କରାଯାଇଛି ।