ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ରାଜ୍ୟପାଳ ତଥା କୂଳାଧିପତି ଡ. ହରି ବାବୁ କମ୍ଭମପଟି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗ କମିଶନର-ତଥା-ସଚିବ ଅରବିନ୍ଦ ଅଗ୍ରୱାଲ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଲୋକ ଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟପାଳ କହିଥିଲେ ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା ହେଉଛି ପରବର୍ତ୍ତୀ ବଡ଼ ଆହ୍ୱାନ। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା କଥା ମନେପକାଇ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ସ୍ପଷ୍ଟ ସମୟସୀମା (ଟାଇମଲାଇନ୍) ଧାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳଙ୍କ ପ୍ରସ୍ତାବଗୁଡ଼ିକୁ ସମର୍ଥନ କରିବା ସହ ସମୟସୀମା ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କୁଳପତିମାନଙ୍କୁ କହିଥିଲେ। ବୈଠକର ପ୍ରାରମ୍ଭରେ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ବିଶ୍ୱବିଦ୍ୟାଳୟଗୁଡ଼ିକର ବର୍ତ୍ତମାନର ନିଯୁକ୍ତି ସ୍ଥିତି ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ।
