ରାଜ୍ୟରେ ବନ୍ୟା ସଙ୍କଟରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ, ବିରୋଧୀଙ୍କ ତୀବ୍ର ସମାଲୋଚନା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହାକୁ ନେଇ ବିଜେଡି ଓ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ବିଜେପି ବିରୋଧୀଙ୍କୁ କଡ଼ା ଜବାବ ଦେଇ କହିଛି ଯେ, ଏହି ଗସ୍ତ ପୂର୍ବନିର୍ଦ୍ଧାରିତ ଏବଂ ରାଜ୍ୟର ବିକାଶ ଓ କେନ୍ଦ୍ର ସହ ସମନ୍ୱୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି, “ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଭୟାବହ। ତଳିଆ ଅଞ୍ଚଳରେ ବନ୍ୟା ଜଳ ଥିବାବେଳେ ଲଗାତାର ବର୍ଷା ଜନଜୀବନକୁ ଅଧିକ ଦୁର୍ବିସହ କରିଛି। ବନ୍ୟା ପ୍ରଭାବିତ ଲୋକମାନେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି, କିନ୍ତୁ ଏହି ସମୟରେ ରାଜ୍ୟର ଶାସନ ମୁଖ୍ୟ ନୂଆଦିଲ୍ଲୀରେ ଅଛନ୍ତି।”
ଘଡ଼େଇ ଅଭିଯୋଗ କରି କହିଛନ୍ତି ଯେ, ଅନେକ ସ୍ଥାନରେ ଶୁଖିଲା ଓ ରନ୍ଧା ଖାଦ୍ୟ ପହଞ୍ଚି ନାହିଁ। ଶିଶୁମାନଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା, ପଶୁସମ୍ପଦର ସୁରକ୍ଷା ଏବଂ ବନ୍ୟା ପରବର୍ତ୍ତୀ ରୋଗ ନିୟନ୍ତ୍ରଣ ଦିଗରେ ପ୍ରଶାସନର ତତ୍ପରତା ଦେଖାଯାଉ ନାହିଁ। ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଧନଜୀବନ ବିପଦରେ ପଡ଼ିଛି। ବିପଦ ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ରହି ସେମାନଙ୍କ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତକୁ ନେଇ କଂଗ୍ରେସ ମଧ୍ୟ କଡ଼ା ସମାଲୋଚନା କରିଛି। ଗୁରୁବାର ଓପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ରାଜ୍ୟର ବନ୍ୟାସ୍ଥିତି ପ୍ରତି ସରକାରଙ୍କ ଉପେକ୍ଷା ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ଗୁରୁତର ବନ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହିବା ନିରାଶାଭାବ ସୃଷ୍ଟି କରିଛି ବୋଲି ସେମାନେ କହିଛନ୍ତି।
ଶ୍ରୀକାନ୍ତ ଜେନା କହିଛନ୍ତି, “୧୨ ବର୍ଷ ପରେ ଓଡ଼ିଶାରେ ସାଂଘାତିକ ବନ୍ୟାସ୍ଥିତି ଦେଖା ଦେଇଛି। ସରକାରୀ ତଥ୍ୟ ଅନୁସାରେ ୭ଗୋଟି ଜିଲ୍ଲା ପ୍ରଭାବିତ ହୋଇଥିଲେ ମଧ୍ୟ ଗଣମାଧ୍ୟମରୁ ତା’ଠାରୁ ଅଧିକ ଜିଲ୍ଲା ପ୍ରଭାବିତ ବୋଲି ସୂଚନା ମିଳୁଛି। ସରକାରଙ୍କ ରିଲିଫ୍ କୋଡ଼୍ ଅନୁସାରେ କାର୍ଯ୍ୟ ହେଉନାହିଁ। ଯଦି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି, ତେବେ ମହାନଦୀ ଜଳ ବିବାଦ ସମାଧାନ କରନ୍ତୁ ଓ ଲୋକଙ୍କ ଜୀବନ ରକ୍ଷା କରନ୍ତୁ। ଏପର୍ଯ୍ୟନ୍ତ ସରକାରଙ୍କ ସମୀକ୍ଷା ବୈଠକ ବସି ନାହିଁ, ଲୋକଙ୍କୁ ଚୁଡ଼ା ମୁଠାଏ ମିଳି ନାହିଁ।”
ଅନ୍ୟପକ୍ଷରେ, ବିରୋଧୀଙ୍କୁ କଡ଼ା ଜବାବ ଦେଇ ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କର ଏହି ୩ରୁ ୪ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବନିର୍ଦ୍ଧାରିତ। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହ ଓଡ଼ିଶାର ବିକାଶ, ଭିତ୍ତିଭୂମି, ପୁଞ୍ଜି ନିବେଶ, ଶିଳ୍ପ, ସଡ଼କ, ଜଳସମ୍ପଦ ଓ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପ ନେଇ ଆଲୋଚନା ହେବ। ଓଡ଼ିଶାର ସାଂସଦମାନଙ୍କ ସହ ବୈଠକ କରି ରାଜ୍ୟର ଦାବିକୁ କେନ୍ଦ୍ର ସ୍ତରରେ ଆଗେଇ ନେବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ।”
ପୂର୍ତ୍ତମନ୍ତ୍ରୀ ଆହୁରି କହିଛନ୍ତି, “ବନ୍ୟା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ବରିଷ୍ଠ ଅଧିକାରୀମାନେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ବନ୍ୟା ପରିଚାଳନା ଓ ରାଜ୍ୟର ଦୀର୍ଘମିଆଦି ବିକାଶ—ଉଭୟକୁ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି। ବିକଶିତ ଓଡ଼ିଶା ଲକ୍ଷ୍ୟ ପାଇଁ କେନ୍ଦ୍ର ସହ ସମନ୍ୱୟ ମଧ୍ୟ ସମାନ ଭାବେ ଜରୁରୀ।”
