ପାଲ୍କ ପ୍ରଣାଳୀ ପାର କରି ବିଶ୍ୱ ରେକର୍ଡ କଲେ ୭ ବର୍ଷୀୟ ଇଶାଙ୍କ
ନୂଆଦିଲ୍ଲୀ (ସଂକେତ ଟିଭି): ଝାଡ଼ଖଣ୍ଡର ମାତ୍ର ୭ ବର୍ଷର ପିଲା ଇଶାଙ୍କ ନିଜ ସାହସିକତା ଓ ଦୃଢ଼ ସଂକଳ୍ପ ବଳରେ ସମୁଦ୍ରର ଭୟଙ୍କର ଲହରୀକୁ ମାତ୍ ଦେଇ ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଥିବା ପ୍ରାୟ ୨୯ କିଲୋମିଟର ଲମ୍ବା ପାଲ୍କ ପ୍ରଣାଳୀ (Palk Strait)କୁ ଅତି କମ୍ ବୟସରେ ସନ୍ତରଣ କରି ପାର୍ କରିବାରେ ସେ ବିଶ୍ୱର ପ୍ରଥମ ହୋଇଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି।
ରାଞ୍ଚିର ଧୁରୱା ଅଞ୍ଚଳର ବାସିନ୍ଦା ଇଶାଙ୍କ ଅପ୍ରେଲ ୩୦, ୨୦୨୬ରେ ଶ୍ରୀଲଙ୍କାର ତଲାଇମନାରୁ ନିଜର ସନ୍ତରଣ ଯାତ୍ରା ଆରମ୍ଭ କରି ଭାରତର ଧନୁଷକୋଡ଼ିରେ ପହଞ୍ଚିଥିଲେ।
ମାତ୍ର ୯ ଘଣ୍ଟା ୫୦ ମିନିଟ୍ ସମୟ ମଧ୍ୟରେ ଏହି ବିପଜ୍ଜନକ ପଥ ଅତିକ୍ରମ କରି ସେ ବିଶ୍ୱର ସର୍ବକନିଷ୍ଠ ଏବଂ ଦ୍ରୁତତମ ପାଲ୍କ ପ୍ରଣାଳୀ ସନ୍ତରଣକାରୀ ଭାବେ ‘ୟୁନିଭର୍ସାଲ୍ ରେକର୍ଡସ ଫୋରମ୍’ ପକ୍ଷରୁ ବିଶ୍ୱ ରେକର୍ଡ ପ୍ରମାଣପତ୍ର ହାସଲ କରିଛନ୍ତି।
ଏହି ବଡ଼ ସଫଳତା ପଛରେ ରହିଛି ଇଶାଙ୍କର ଦୀର୍ଘ ଦିନର କଠିନ ପରିଶ୍ରମ। ସେ ରାଞ୍ଚିର ଧୁରୱା ଡ୍ୟାମ୍ରେ ପ୍ରତିଦିନ ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ କଠିନ ପ୍ରଶିକ୍ଷଣ ନେଉଥିଲେ।
ପ୍ରଶିକ୍ଷକ ଅମନ କୁମାର ଜୈସୱାଲ ଏବଂ ବଜରଙ୍ଗ କୁମାରଙ୍କ ଉପଯୁକ୍ତ ମାର୍ଗଦର୍ଶନ ଯୋଗୁଁ ସେ ସମୁଦ୍ରର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ ହୋଇପାରିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଇଶାଙ୍କ ରାଞ୍ଚିସ୍ଥିତ ଡିଏଭି ଶ୍ୟାମଳୀ ସ୍କୁଲର ତୃତୀୟ ଶ୍ରେଣୀର ଜଣେ ଛାତ୍ର। ତାଙ୍କର ଏହି କୃତିତ୍ୱ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଗଭୀର ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଉତ୍ସାହିତ କରିଛନ୍ତି।
ସ୍କୁଲର ପ୍ରିନ୍ସିପାଲ କହିଛନ୍ତି ଯେ, ଏତେ କମ୍ ବୟସରେ ସମୁଦ୍ରର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବିଶ୍ୱ ରେକର୍ଡ କରିବା ଇଶାଙ୍କର ଅସାଧାରଣ ସାହସ, ଅନୁଶାସନ ଏବଂ ଦୃଢ଼ ସଂକଳ୍ପର ପ୍ରମାଣ। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ହୋଇ ରହିବ।
𝐈𝐬𝐡𝐚𝐧𝐤 𝐒𝐢𝐧𝐠𝐡 𝐂𝐫𝐞𝐚𝐭𝐞𝐬 𝐇𝐢𝐬𝐭𝐨𝐫𝐲 𝐰𝐢𝐭𝐡 𝐏𝐚𝐥𝐤 𝐒𝐭𝐫𝐚𝐢𝐭 𝐒𝐰𝐢𝐦
— All India Radio News (@airnewsalerts) May 1, 2026
Seven-year-old swimmer Ishank Singh🇮🇳creates history by successfully crossing the 29-km Palk Strait.
He completes the open-water swim from Talaimannar in Sri Lanka to Dhanushkodi in… pic.twitter.com/AfuWqawmII
