FeaturedGeneralLatestPolitics

କଂଗ୍ରେସ ନେତା ପଓ୍ୱନ ଖେଡାଙ୍କୁ ଆଗୁଆ ଜାମିନ୍ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): କଂଗ୍ରେସ ନେତା ପଓ୍ୱନ ଖେଡାଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ବୟାନକୁ ନେଇ ରୁଜୁ ହୋଇଥିବା ଏକ ମାମଲାରେ କୋର୍ଟ ପଓ୍ୱନଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି।

ଗତ ଏପ୍ରିଲ ୩୦ ତାରିଖରେ ମାମଲାର ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଥିଲେ। ଶେଷରେ କୋର୍ଟ୍ ଖେଡାଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କୋର୍ଟ କହିଛନ୍ତି ଯେ, କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧିନତା ସମ୍ବିଧାନର ଅନୁଚ୍ଛେଦ ୨୧ ଦ୍ୱାରା ସୁରକ୍ଷିତ ରହିଛି। ତେଣୁ ବ୍ୟକ୍ତିଙ୍କୁ ଅତି ସହଜରେ ବିପଦରେ ପକାଇ ହେବ ନାହିଁ। ତେଣୁ କ୍ରାଇମ୍ ବ୍ରାଞ୍ଚ୍ ପୋଲିସ ଷ୍ଟେସନ୍ ଦ୍ୱାରା କେସ୍ ନମ୍ବର ୦୪-୨୦୨୬ରେ ପଓ୍ୱନଙ୍କୁ ଗିରଫ କରାଯାଇ ପାରିବ ନାହିଁ। କୋର୍ଟ୍ ତାଙ୍କୁ ଆଗୁଆ ଜାମିନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଉଭୟ ପକ୍ଷ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଲଗାଇଥିଲେ। କିନ୍ତୁ କାହାରି ସ୍ୱାଧିନତା ସହ ଚଞ୍ଚକତା କରାଯାଇ ପାରିବ ନାହିଁ। ପଓ୍ୱନଙ୍କ ବିରୋଧରେ ଏହି ମାମଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍ଗି ଭୂୟାଁଙ୍କ ଉପରେ ଦିଆଯାଇଥିବା ବୟାନକୁ ନେଇ ରୁଜୁ ହୋଇଥିଲା। ରିଙ୍କିଙ୍କର ଏକାଧିକ ପାସପୋର୍ଟ ଥିବା ପଓ୍ୱନ ଅଭିଯୋଗ କରିଥିଲେ। ଏପରିକି ତାଙ୍କର ବିଦେଶରେ ସମ୍ପତ୍ତି ଥିବା ପଓ୍ୱନ କହିଥିଲେ।

ଆଗୁଆ ଜାମିନ୍ ପ୍ରଦାନ ହୋଇଥିଲେ ବି କିଛି ସର୍ତ୍ତ ରଖିଛନ୍ତି କୋର୍ଟ୍। କୋର୍ଟଙ୍କ ସର୍ତ୍ତ ଅନୁସାରେ, ପଓ୍ୱନ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ। ପୋଲିସ ଷ୍ଟେସନ ଡକାଗଲେ ଉପସ୍ଥିତ ରହିବାକୁ ପଡିବ। କୌଣସି ପ୍ରମାଣ ନଷ୍ଟ କରିବେନି। ଏହାସହ କୋର୍ଟଙ୍କ ବିନା ଆଦେଶରେ ପଓ୍ୱନ ଦେଶ ଛାଡି ଯିବେ ନାହିଁ ବୋଲି ଖଣ୍ଡପୀଠ ସର୍ତ୍ତ ରଖିଛନ୍ତି।