ବନ୍ୟାରେ ୧୫ ଜିଲ୍ଲା ପ୍ରଭାବିତ, ୫୭ ବ୍ଲକରେ ଜଳବନ୍ଦୀ : ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବନ୍ୟା ପରିସ୍ଥିତି ଗୁରୁତର ହୋଇପଡ଼ିଛି। ମୋଟ ୧୫ଟି ଜିଲ୍ଲାର ୫୭ଟି ବ୍ଲକ୍ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି। ମହାନଦୀକୁ ବାଦ ଦେଲେ ଅନ୍ୟ ସବୁ ନଦୀ ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ମନ୍ତ୍ରୀ କହିଛନ୍ତି।
ବନ୍ୟା ପାଣି କମିବା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପୂଜାରୀ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ଷୟକ୍ଷତିର ପୂର୍ଣ୍ଣ ରିପୋର୍ଟ ଆସିଲେ ତୁରନ୍ତ ପୀଡ଼ିତମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।
ହୀରାକୁଦ ବନ୍ଧର ଅଧିକ ଗେଟ୍ ଖୋଲିବା ନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସନ୍ଧ୍ୟା ସୁଦ୍ଧା ବନ୍ଧର ଅଧିକ ଗେଟ୍ ଖୋଲାଯିବ ବୋଲି ସେ କହିଛନ୍ତି। ଏବେ ସୁଦ୍ଧା ୧୨ଟି ଗେଟ୍ ଖୋଲାଯାଇଛି ଏବଂ ପ୍ରାୟ ଦେଢ଼ ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଉଛି। ଆବଶ୍ୟକ ସ୍ଥଳେ ଆଉ ମଧ୍ୟ ଗେଟ୍ ଖୋଲାଯାଇପାରେ। ତେବେ ଏହି ପାଣି ମୁଣ୍ଡୁଳିକୁ ପହଞ୍ଚିବାକୁ ୪୦ ଘଣ୍ଟା ସମୟ ଲାଗିବ ଏବଂ ସେତକ ମଧ୍ୟରେ ମୁଣ୍ଡୁଳିରୁ ବନ୍ୟାଜଳ ନିଷ୍କାସିତ ହୋଇଯିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି ଯେ, ପୂର୍ବାନୁମାନ ଅପେକ୍ଷା ଅଧିକ ଆଲର୍ଟ ରହିବା ଆବଶ୍ୟକ, କାରଣ କେବଳ ମହାନଦୀରେ ବନ୍ୟା ସ୍ଥିତି ବିରାଜମାନ କରୁଛି।
ବର୍ତ୍ତମାନ ସୁଦ୍ଧା ୧୫ ଜିଲ୍ଲାର ୫୭ ବ୍ଲକ୍, ୪୪୬ ଗ୍ରାମ ପଞ୍ଚାୟତ, ୧୩୬୨ ଗାଁ ଏବଂ ୧୧ ପୌରାଞ୍ଚଳର ୧୭୪ ଟି ୱାର୍ଡ ବନ୍ୟାରେ ପ୍ରଭାବିତ ହୋଇଛି। ୭ ଲକ୍ଷ ୯୧ ହଜାର ୮୪୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୬୮ ହଜାର ୯୪୩ ଜଣ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ୨୧ ହଜାର ୩୮୦ ହେକ୍ଟର ଜମି ଏବଂ ୭୦୦ ଘର ପ୍ରଭାବିତ ହୋଇଛି। ଏହି ସଂକଟ ସମୟରେ ୬୪୭ ଟି ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ରହିଛି, ସେହିପରି ୨୦ଟି ସ୍ଥାନରେ ପଶୁମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି।
ଅନ୍ୟପଟେ, କୁଶଭଦ୍ରା, ଇବ୍, ଜଳକା, ଋଷିକୁଲ୍ୟା, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳକୁ ଖସି ଆସିଛି, ଯାହା କିଛି ଅଞ୍ଚଳରେ ଆଶ୍ୱସ୍ତି ଆଣିଛି। ତେବେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ ରହିଛି। ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
