FeaturedLatestNews

ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ରେଳ ବିକାଶ ନେଇ ଆଲୋଚନା

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀଠାରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତରେ ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଏବଂ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ସକରାତ୍ମକ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ପରେ ସୂଚନା ଦେଇଛନ୍ତି।

ଆଞ୍ଚଳିକ ତଥା ଶିଳ୍ପାଞ୍ଚଳ ସଂଯୋଗୀକରଣକୁ ଅଧିକ କ୍ରିୟାଶୀଳ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ନିରନ୍ତର ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତବ୍ୟକ୍ତ କରିଛନ୍ତି।